ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ । ମହାମାରୀ ଦମନ ଲାଗି ବିଶ୍ୱର ସମ୍ମିଳିତ ଉଦ୍ୟମ ଆବଶ୍ୟକ, ଜି-୭ ଶିଖର ସମ୍ମିଳନୀରେ ମୋଦି ଦେଲେ ମନ୍ତ୍ର । 

125

କନକ ବ୍ୟୁରୋ :  ଶନିବାର ଦିନ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ ମହାମାରୀ ଦମନ ଲାଗି ବିଶ୍ବର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ଏଥିପାଇଁ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ’ ଭିତ୍ତିକ ଉଦ୍ୟମ ଲୋଡ଼ା ବୋଲି କହିବା ସହ ମହାମାରୀ ସଂଗ୍ରାମରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏ ସଂକ୍ରାନ୍ତ ବିବୃତିରେ ଉଲ୍ଲେଖ ଅଛି ଯେ, ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ସମୟରେ ସହାୟତା ପ୍ରଦାନ କରିଥିବା ଜି୭ ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ପ୍ରଥମ ‘ଆଉଟ୍‌ରିଚ୍‌’ ଜି୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଭାରତ ଭଳି ଦେଶମାନଙ୍କରେ ଟିକା ଉତ୍ପାଦନ ବୃଦ୍ଧିରେ ସହଯୋଗ କରିବା ପାଇଁ କଞ୍ଚାମାଲ୍‌ ଓ ଉପକରଣ ଯୋଗାଣ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଦେଇଥିବା ଆହ୍ବାନକୁ ବ୍ୟାପକ ସମର୍ଥନ ମିଳିଥିବା କଥା ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ‘ବିଲ୍‌ଡିଙ୍ଗ୍‌ ବ୍ୟାକ୍‌ ଷ୍ଟ୍ରଙ୍ଗର୍‌- ହେଲ୍‌ଥ୍‌’ ବା ‘ମହାମାରୀତ୍ତୋର ସୁଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା’ ଶୀର୍ଷକ ଏହି ଅଧିବେଶନରେ ବୈଶ୍ୱିକ ସ୍ୱାସ୍ଥ୍ୟ ସୁଧାର ଏବଂ ଭବିଷ୍ୟତର ମହାମାରୀ ମୁକାବିଲା ସାମର୍ଥ୍ୟ ସୁଦୃଢ଼ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ‘କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌’ ଓ ଟିକାକରଣ ପରିଚାଳନା ପାଇଁ ଭାରତର ଉନ୍ମୁକ୍ତ ଡିଜିଟାଲ୍‌ ଉପକରଣ ଉତ୍ସର ସଫଳ ଉପଯୋଗ ପ୍ରସଙ୍ଗ ବୁଝାଇବା ସହ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଭାରତ ତା’ର ଅଭିଜ୍ଞତା ଏବଂ ପାରଦର୍ଶିତା ବାଣ୍ଟିବାକୁ ଆଗ୍ରହୀ ବୋଲି ଜଣାଇଥିଲେ।

ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ, କୋଭିଡ୍‌-୧୯ ସଂଗ୍ରାମରେ ଏହା ହେଉଛି ସରକାର, ଶିଳ୍ପ ଏବଂ ସାଧାରଣ ସମାଜର ସମନ୍ବିତ ଉଦ୍ୟମ। ଆଜି ଜି-୭ ଶିଖର ସମ୍ମିଳନୀର ଚୂଡ଼ାନ୍ତ ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଟି ଅଧିବେଶନରେ ଅଭିଭାଷଣ ପ୍ରଦାନ କରିବେ।