କରୋନା ବିରୋଧରେ ପ୍ରଭାବ ହରାଉଛି ଗୋଟିଏ ପରେ ଗୋଟିଏ ଔଷଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ପରେ କରୋନା ଚିକିତ୍ସାରୁ ଆଇଭରମେକ୍ଟିନ୍ ଔଷଧକୁ ବାଦ୍ ଦେଲା ତାମିଲନାଡୁ

519

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବର୍ତମାନ ଯାଏଁ ବହୁଳ ଭାବରେ ବ୍ୟବହାର ହେଉଥିବା ‘ଆଇଭରମ୍ୟାକଟିନ୍’ ଏବଂ ‘ପ୍ଲାଜାମା ଥେରାପି’ ସେଭଳି ଫଳପ୍ରଦ ହେଉନାହିଁ, ଯେଉଁଭଳି ଆଶା ନେଇ ଏହାର ବିନିଯୋଗ କୋଭିଡ-୧୯ ଚିକିତ୍ସା ପାଇଁ ହେଉଥିଲା । ତାମିଲନାଡୁ ସରକାର ‘ଆଇଭରମ୍ୟାକଟିନ୍’ ବ୍ୟବହାରକୁ କରୋନା ଚିକିତ୍ସାରୁ ବାଦ ଦେଇଥିବା ବେଳେ ‘ପ୍ଲାଜାମା ଥେରାପି’କୁ ବାଦ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଆଇସିଏମ୍ଆର ।

କରୋନା ମହାମାରୀ ନେଇ ଗଠିତ ହୋଇଥିବା ଟାସ୍କଫୋର୍ସ ବୈଠକରେ ପ୍ଲାଜମା ଚିକିତ୍ସାକୁ ବାଦ ଦେବା ନେଇ ଆଲୋଚନା ହୋଇଛି । ଏଭଳି ଏକ ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଛି, ଯେତେବେଳେ ବ୍ରିଟିଶ ପତ୍ରିକା ଲାନ୍ସେଟ୍-ପ୍ଲାଜମା ଚିକିତ୍ସା ନେଇ ଏକ ବିସ୍ତୃତ ରିପୋର୍ଟ ରଖିଛି । ଏଥିରେ କୁହାଯାଇଛି-

– ପ୍ଲାଜମା ଚିକିତ୍ସା କରୋନା ରୋଗୀଙ୍କୁ ସୁସ୍ଥ କରିବାର ଯଥେଷ୍ଟ ପ୍ରମାଣ ନାହିଁ
– ପ୍ଲାଜମା ଚିକିତ୍ସା ପରେ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉନାହିଁ
– ଏହି ଚିକିତ୍ସା ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇ ଦେଇଛି, ସେମିତି ପ୍ରମାଣ ନାହିଁ
– ୨୮ ଦିନ ଧରି ୧୬ ଶହରୁ ଅଧିକ ରୋଗୀଙ୍କୁ ନେଇ ଗବେଷଣା କରିଥିଲା ଲାନସେଟ୍

ଏପଟେ ‘ଆଇଭରମ୍ୟାକଟିନ୍’କୁ ନେଇ ବି ଏକ ବଡ଼ ଅନାସ୍ତା ଆସିଛି । ତାମିଲନାଡୁ ସରକାର କୋଭିଡ୍ ପରିଚାଳନାରେ ସଂଶୋଧନ କରିବା ସହ ‘ଆଇଭରମ୍ୟାକଟିନ୍’ କୁ କରୋନା ଚିକିତ୍ସାରୁ ବାଦ ଦେଇଛନ୍ତି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ ମଧ୍ୟ କରୋନା ଚିକିତ୍ସା କ୍ଷେତ୍ରରେ ‘ଆଇଭରମ୍ୟାକଟିନ୍’ର ବ୍ୟବହାରକୁ ବିରୋଧ କରିଥିଲେ ।

‘ଆଇଭରମ୍ୟାକଟିନ୍’ର ସୁରକ୍ଷା ଓ କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଥିଲେ ।
‘ଆଇଭରମ୍ୟାକଟିନ୍କୁ ଚିକିତ୍ସାରୁ ବାଦ ଦେବା ସହ ତାମିଲନାଡୁ ସରକାର କରୋନା ରୋଗୀଙ୍କ ଚିକିତ୍ସାକୁ ୩ଟି ବର୍ଗରେ ଭାଗ କରିଛନ୍ତି ।
ପ୍ରଥମ ବର୍ଗ-ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ
ଦ୍ୱିତୀୟ ବର୍ଗ- ଅମ୍ଲଜାନ ସ୍ତର ୯୦ରୁ ୯୪ରେ ଥିଲେ କୋଭିଡ୍ କେୟାର କେନ୍ଦ୍ରରେ ଚିକିତ୍ସିତ ହେବେ
ତୃତୀୟ ବର୍ଗ- ଅମ୍ଲଜାନ ସ୍ତର ୯୦ ତଳକୁ ଗଲେ ସେମାନେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବେ

Comments are closed.