ଟିକା କମାଉଛି କରୋନା ଜନିତ ମୃତ୍ୟୁର ଆଶଙ୍କା: ଆଇସିଏମଆର ଗବେଷଣାରୁ ଆସିଲା ତଥ୍ୟ

90

କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁ ବିପକ୍ଷରେ ସବୁଠାରୁ ବଡ ଅସ୍ତ୍ର ସାଜିଛି କରୋନା ଟିକା । ଆଇସିଏମ୍ଆର ଏକ ତଥ୍ୟରୁ ଏହି କଥାକୁ ସ୍ପଷ୍ଟ କରିଛି । ଇଣ୍ଡିଆନ କାଉଁସିଲ୍ ଅଫ ମେଡିକାଲ ରିସର୍ଚ୍ଚ-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜିର ଏକ ଅନୁସନ୍ଧାନ ରିପୋର୍ଟ ଅନୁସାରେ କରୋନା ଟିକାର ଗୋଟିଏ ଡୋଜ୍ ମଧ୍ୟ କରୋନା ଜନିତ ମୃତ୍ୟୁକୁ ରୋକିବାରେ ଅଧିକାଂଶରେ ସକ୍ଷମ ।

କରୋନା ଟିକାର ଗୋଟିଏ ଡୋଜ୍ ଏଥିରୁ ହେଉଥିବା ମୃତ୍ୟୁକୁ ୮୨ ପ୍ରତିଶତ ପର୍ଯ୍ୟନ୍ତ ରୋକିପାରିବ ଏବଂ ଟିକାର ୨ଟି ଯାକ ଡୋଜ୍ ନେଲେ କରୋନା ଜନିତ ମୃତ୍ୟୁକୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ରୋକାଯାଇ ପାରିବ ବୋଲି ଏହି ଅଧ୍ୟୟନରୁ ଜଣା ପଡିଛି । ଏହି ଅଧ୍ୟୟନ ତାମିଲନାଡୁର ସବୁଠାରୁ ହାଇରିକ୍ସ ଅଂଚଳରେ କରାଯାଇଛି । ଯାହାର ରିପୋଟ ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ଜୁନ୍ ୨୧ରେ ପ୍ରକାଶ ପାଇଛି ।

ତାମିଲନାଡୁ ପୋଲିସ କରୋନାର ଦ୍ୱିତୀୟ ଲହର ସମୟରେ ନିଜ ବିଭାଗରେ କରୋନା ଜନିତ ମୃତ୍ୟୁ ଏବଂ ଟୀକାକରଣର ସବୁ ରେକଡ ରଖୁଥିଲା । ଏଥିରେ କେଉଁମାନେ କରୋନା ଟୀକା ନେଇ ନାହାଁନ୍ତି, କେଉଁମାନେ କେବଳ ଗୋଟିଏ ଡୋଜ୍ ନେଇଛନ୍ତି ଆଉ କେଉଁମାନେ କରୋନା ଟିକାର ୨ଟି ଯାକ ଡୋଜ ନେଇଛନ୍ତି, ସେସବୁକୁ ରେକର୍ଡ କରାଯାଇଥିଲା । ଆଉ ଏହି ଡାଟାକୁ ନେଇ ଆଇସିଏମଆର୍ ଅଧ୍ୟୟନ କରିଥିଲା ।