ଜଣେ ମାତ୍ର ଡାକ୍ତର ଥିବାରୁ ରୋଗୀଙ୍କ ଭରସା ପାଲଟିଛନ୍ତି ଷ୍ଟାଫନର୍ସ, କେବଳ ଡାକ୍ତର ନୁହଁନ୍ତି କର୍ମଚାରୀ ଅଭାବ ଯୋଗୁଁ ହନ୍ତସନ୍ତ ରୋଗୀ
କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ଗଞ୍ଜାମ ବେଗୁନିଆପଡା ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଶହଶହ ରୋଗୀ । ୨୦୧୦ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ହୋଇଥିବା ଡାକ୍ତରଖାନାରେ ଏବେ ଜଣେ ମାତ୍ର ଡାକ୍ତର ଅଛନ୍ତି । ମେଡିସିନ, ଶିଶୁରୋଗ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖାଲି ରହିଛି । ଏଠାରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତର ୩ ରୁ ୪ ଦିନ ଆସୁଛନ୍ତି । ସ୍ୱସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ଅଧିକ ହେବାରୁ ଜଣେ ମାତ୍ର ଡାକ୍ତର ଚିକିତ୍ସା ଯୋଗାଇବା ସମ୍ଭବ ହେଉନଥିବା ଅଭିଯୋଗ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ରାହାଡରେ ଥିବା ପ୍ରାଥମିକ ଆରୋଗ୍ୟ କେନ୍ଦ୍ର କଥା ନକହିବା ଭଲ । ସ୍ୱାସ୍ଥ୍ୟ କେନ୍ଦ୍ରଟି ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳତ ହେଉଛି । ଜଣେ ଅବସର ପ୍ରାପ୍ତ ଏମବିବିଏସ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ନିୟୋଜିତ ହୋଇଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ସମୟରେ ଏଠି ରୋଗୀଙ୍କୁ ସାହା ହୋଇଥାନ୍ତି ଷ୍ଟାଫନର୍ସ ।
ତେବେ ବେଗୁନିଆପଡା ବ୍ଲକର ଏହି ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ରାଜ୍ୟରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାର ଗୁମର ଖୋଲି ଦେଉଛି ।