ଗୋଟିଏ ଶବ ଦୁଇ ଦାବିଦାର: ଭଂଜନଗର ବାସିନ୍ଦା ଏ ନରେଶଙ୍କ ମୃତ୍ୟୁ ପରେ ଉପୁଜିଲା ଅଭାବନୀୟ ସ୍ଥିତି; ବୁଝାମଣା ପରେ ଦ୍ୱିତୀୟ ପତ୍ନୀଙ୍କୁ ମିଳିଲା ଶବଦାହ ଅଧିକାର

1,102

କନକ ବ୍ୟୁରୋ: ଗୋଟିଏ ଶବ ଦୁଇ ଦାବିଦାର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ । ଭଞ୍ଜନଗରର ମୂଳ ବାସିନ୍ଦା ତଥା ଜାତୀୟ ସ୍ତରର ଫୁଟବଲ ଖେଳାଳି ଏ. ନରେଶଙ୍କ ମୃତ୍ୟୁ ପରେ ଏଭଳି ଏକ ଅଭାବନୀୟ ସ୍ଥିତି ଉପୁଜିଥିଲା । ନରେଶ ଦୁଇଟି ବିବାହ କରିଥିବାରୁ ତାଙ୍କର ଦୁଇ ଜଣ ପତ୍ନୀ ମୃତ ଦେହ ନେବାକୁ ଦାବି କରିଥିଲେ । ଆଉ ଏହାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର । ଜାତୀୟ ସ୍ତରର ଫୁଟବଲ ଖେଳାଳି ଏ. ନରେଶଙ୍କର ଆସାମ ସିଲଚରରେ ମୃତ୍ୟୁ ହେବା ପରେ ଶବ କିଏ ନେବ ତାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । କାରଣ ନରେଶ ଗାଁରେ ଜଣଙ୍କୁ ବିବାହ କରିଥିବାବେଳେ ମିଜୋରାମରେ ଆଉ ଜଣଙ୍କୁ ବିବାହ କରିଥିଲେ । ଗୋଟିଏରେ ଏ.ନରେଶଙ୍କ ୨୦୧୨ ବିବାହ ସମୟର ଭିଡିଓ । ଏବଂ ଅନ୍ୟଟିରେ ଶ୍ମଶାନରେ ଜଣେ ମହିଳା ଛିଡା ହୋଇଥିବାର ଚିତ୍ର । ବାହାଘରର ୨ ବର୍ଷ ପରେ ମିଜୋରାମ ଖେଳିବାକୁ ଯାଇଥିଲେ ଏ.ନରେଶ । ସେଠାରେ ଜଣେ ଯୁବତୀକୁ ଭଲ ପାଇ ସେ ବିବାହ କରିଥିଲେ ।

ସବୁଠୁ ବଡ କଥା ହେଉଛି ନରେଶଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ନେବାକୁ ୨ ପକ୍ଷ ଦାବିଦାର ରହିଥିଲେ । ପରିବାର ଲୋକଙ୍କ ସହ ଭଂଜନଗରରେ ଥିବା ପ୍ରଥମ ସ୍ତ୍ରୀ ଶବ ନେବାକୁ ଦାବି କରିଥିବାବେଳେ ମିଜୋରାମରେ ଥିବା ଦ୍ୱିତୀୟ ପତ୍ନୀ ମଧ୍ୟ ଶବ ନେବାକୁ ଦାବି କରିଥିଲେ । ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ମେଡିକାଲ କତୃପକ୍ଷ ଓ ଓଏନଜିସି । ତେବେ ନୋମିନିଙ୍କ ସ୍ଥାନରେ ଦ୍ୱିତୀୟ ସ୍ତ୍ରୀଙ୍କ ନାଁ ଥିବାରୁ ଅଫିସ ପକ୍ଷରୁ ତାଙ୍କୁ ମୃତଦେହ ଦେବାକୁ ନିଷ୍ପତି ନିଆଯାଇଥିଲା । ଦ୍ୱିତୀୟ ପତ୍ନୀଙ୍କ ଉପସ୍ଥିତିରେ ଆସାମରରେ ନରେଶଙ୍କ ଶେଷକୃତ୍ୟୃ କରାଯାଇଥିଲା । ଆଉ ଭଂଜନଗରରେ ଥିବା ପରିବାର ଶେଷକୃତ୍ୟର ସିଧା ଦୃଶ୍ୟ ଭିଡିଓ କଲ ମାଧ୍ୟମରେ ଦେଖିଥିଲେ ।

ଆଇନ ଅନୁଯାୟୀ ସ୍ୱାମୀ ଉପରେ ପ୍ରଥମ ପତ୍ନୀର ଅଧିକାର ରହିଛି । ହେଲେ, ନରେଶ ତାଙ୍କ ସର୍ଭିସ ବୁକରେ ଦ୍ୱିତୀୟ ପତ୍ନୀଙ୍କୁ ନୋମିନି ରଖିଥିଲେ । ତେଣୁ ଶବ ପାଇବାରୁ ବଂଚିତ ହୋଇଥିବା ପ୍ରଥମ ପତ୍ନୀ ନରେଶଙ୍କ ମୃତ୍ୟୁ ପରେ କେମିତ ତାଙ୍କ ହକ୍ ପାଇବେ ସେ ନେଇ ଏବେ ବଡ ସଂକଟ ସୃଷ୍ଟି ହୋଇଛି ।