ଝାରସୁଗୁଡା ସେନହାମାଲ ପଥର ଖାଦାନରେ ବିସ୍ଫୋରଣ : ବିସ୍ଫୋରଣରେ ଜଣେ ଗୁରୁତର ହେବା ପରେ ମୃତ ଘୋଷଣା କଲେ ଡାକ୍ତର

86

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବନହଳପାଳି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନ ଠାରେ ବିସ୍ଫୋରଣ ଯୋଗୁଁ ଜଣଙ୍କ ଜୀବନ ଯାଇଛି । ରବିବାର ଦ୍ୱିପହର ସମୟରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣା ପରେ ପଥର ଖାଦାନରେ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ସେଥିରୁ ପଥର ଖଣ୍ଡ ଛିଟିକି ଅମିତଙ୍କ ମୁଣ୍ଡରେ ତଥା ଶରୀରର ବିଭିନ୍ନ ଅଙ୍ଗରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବେଲପାହାଡ଼ ଟିଆର୍‌ଏଲ କ୍ରୋସେକି ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ପହଞ୍ଚିବାପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମିତ ପରିବାରରେ ଏକମାତ୍ର ରୋଜଗାରକ୍ଷମ ଥିଲେ । ସେ ବିବାହିତ ଓ ତାଙ୍କର ୨ଟି ଛୋଟଛୋଟ କନ୍ୟା ସନ୍ତାନ ଥିବା ଜଣାପଡ଼ିଛି ।

ପ୍ରକାଶ ଯେ ଏ ଅଞ୍ଚଳରେ ଖଣି ଆଇନକୁ ଖୋଲା ଉଲ୍ଲଂଘନ କରାଯାଇ ବ୍ଲାଷ୍ଟିଂ କରାଯାଉଥିବା ଅଭିଯୋଗ ନୂଆ ନୁହେଁ । ଅଞ୍ଚଳବାସୀ ବର୍ଷ ବର୍ଷ ଧରି ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି । ଜାନୁଆରୀ ୧୫ ତାରିଖରେ ସେମିତି ସରଣ୍ଡାମାଲ ପଞ୍ଚାୟତ ଅଞ୍ଚଳରେ ବେଆଇନ ଭାବେ ବ୍ଲାଷ୍ଟିଂ ହେବା ଫଳରେ ସରଣ୍ଡାମାଳ ହାଇସ୍କୁଲ ପରିସର ପର୍ଯ୍ୟନ୍ତ ପଥରଖଣ୍ଡ ଛିଟିକିଥିଲା । ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏ ସଂପର୍କରେ ଲୋକେ ପୁଲିସ ଓ ରାଜସ୍ବ ବିଭାଗରେ ଅଭିଯୋଗ କରିଥିଲେ । ତଥାପି ବ୍ଲାଷ୍ଟିଂ ହେଉଥିବାରୁ ଏବେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଯେଉଁମାନେ ଏସବୁ କରୁଛନ୍ତି ତାଙ୍କ ଉପରେ ପ୍ରଶାସନର ଅଙ୍କୁଶ ନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।