କନକ ବ୍ୟୁରୋ: ଦାଦନ ଶ୍ରମିକରୁ ସଫଳ ଚାଷୀ । ଦିନେ ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିଲେ । ଆଉ ଏବେ ଲୋକଙ୍କୁ ଯୋଗାଇଛନ୍ତି କର୍ମନିଯୁକ୍ତି । କଳାହାଣ୍ଡି ଗୋଲାମୁଣ୍ଡା ସାନଚେର ଗାଁର ବିଶ୍ୱନାଥ ନାଗ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା । ପାଖାପାଖି ୯ ଏକର ଜମିରେ ଲଗାଇଛନ୍ତି କଲରା, ଟମାଟୋ ସହିତ ବିଭିନ୍ନ ପ୍ରକାରର ପନିପରିବା । ପ୍ରତିଦିନ ଚାଷ ଜମିରେ କାମ କରୁଛନ୍ତି ୨୦ରୁ ୩୦ ଜଣ କର୍ମଚାରୀ । ବର୍ଷସାରା ଫସଲ ହେଉଥିବାରୁ ହାତ ପାହାନ୍ତାରେ କର୍ମଚାରୀଙ୍କୁ କାମ ମିଳିପାରୁଛି । ଏଥିପାଇଁ କର୍ମଚାରୀ ମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।
ବିଶ୍ୱନାଥ ୧୯୯୪ ମସିହାରେ ତାଙ୍କ ସ୍ତ୍ରୀ ପିଲାଙ୍କ ସହ କାମ ଅନ୍ୱେଷଣରେ ରାୟପୁର ଯାଇଥିଲେ । ଏକ ପନିପରିବା ବଗିଚାରେ ଶ୍ରମିକ ଭାବେ ସ୍ୱାମୀ ଓ ସ୍ତ୍ରୀ କାମ କରୁଥିଲେ । ଦୀର୍ଘ ୧୮ ବର୍ଷ ଧରି ମାଲିକ ପାଖରେ ରହି କାମ କରିବା ପରେ ୨୦୧୨ ମସିହାରେ ଗାଁକୁ ଫେରିଆସିଥିଲେ ବିଶ୍ୱନାଥ । ଗାଁକୁ ଆସି ଚାଷ କାମ କରିବା ପାଇଁ ମନବଳାଇଥିଲେ । ପ୍ରଥମେ ଦେଢ ଏକର ଜମିରେ କପା ଓ ପନିପରିବା ଚାଷ କରିଥିଲେ ବିଶ୍ୱନାଥ । ଏହାପରେ କିଛି ଟଙ୍କା ସଂଚୟ କରି ଜମି କିଣି ଚାଷ କାମକୁ ବଢାଇଥିଲେ । ଚାଷ ଜମିରୁ ବାହାରୁଥିବା ପନିପରିବା କଳାହାଣ୍ଡି ସମେତ ବଲାଙ୍ଗିର, ବରଗଡ଼, ଭୁବନେଶ୍ୱର, ଆନ୍ଧ୍ରପ୍ରଦେଶ ଓ ରାୟପୁର ରପ୍ତାନି ହୋଇଥାଏ । ଏହି ଚାଷ ଦ୍ୱାରା ବାର୍ଷିକ ୬୦ରୁ ୭୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବିଶ୍ୱନାଥ । ବିଶ୍ୱନାଥଙ୍କ ଉଦ୍ୟମକୁ ଦେଖି ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/vlcsnap-2022-09-25-20h29m13s137.png)