ଦିନେ ଜନଜଗଳି ଥିଲା ଏବୋ ପୂରା ଖାଁ ଖାଁ । ବାତ୍ୟା ବଦଳାଇ ଦେଇଛି ବାଲାଜୀ ସୂତାକଳର ଚିତ୍ର, ଫାଇଲିନ ଆସି ସବୁ ନଷ୍ଟ କରିଦେଇଗଲା

257

କନକ ବ୍ୟୁରୋ : ଦିନେ ଯେଉଁଠି ଜନଗହଳି ଲାଗି ରହୁଥିଲା ଏବେ ସେହି ସ୍ଥାନ ଖାଁ ଖାଁ । ବର୍ତମାନର ସ୍ଥିତି ଦେଖିଲେ ଏହା କୌଣସି କାରଖାନା ପରି ମନେ ହେଉନି, ବରଂ ଗୋଟିଏ ଘଂଚ ଜଙ୍ଗଲ ପରି ମନେ ହେଉଛି । ଏଭଳି ଅବସ୍ଥାରେ ପଡି ରହିଛି ଆସ୍କା ସ୍ଥିତ ବାଲାଜୀ ସୂତାକଳ । ୨୦୧୩ ମସିହା ଅକ୍ଟୋବରରେ ହୋଇଥିବା ବାତ୍ୟା ଫାଇଲିନ୍ ବଦଳାଇ ଦେଲା ଏହାର ଚିତ୍ର ।

ଗଂଜାମ ଜିଲ୍ଲାର କପାଚାଷୀଙ୍କ ବିକାଶ ପାଇଁ ୧୯୮୨ ମସିହାରେ ସ୍ଥାପନ ହୋଇଥିଲା ଆସିକା ସୂତାକଳ । ଏହି କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପରେ ପ୍ରାୟ ଦେଢ ହଜାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇଥିଲେ । ୧୯୮୬ ମସିହାରୁ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା ।  କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ସ୍ଥାପିତ ଏହି କାରଖାନା ପରବର୍ତି ସମୟରେ ପରିଚାଳନା, ଶ୍ରମିକ ଆନ୍ଦୋଳନ ଭିତରେ ଛନ୍ଦି ହୋଇଗଲା । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ସୁଧାର ପାଇଁ ଆର୍ଥିକ ସହାୟତା ବି ଯୋଗାଇଥିଲେ । କିନ୍ତୁ ସ୍ଥିତିରେ ସୁଧାର ଆସିବା ବଦଳରେ କାରଖାନା ଗେଟ୍ରେ ଝୁଲିଲା ତାଲା ।

ଯେତେ ବିବାଦ ଭିତରେ ଥିଲେ ବି ସୂତାକଳ ଖୋଲିବା ସମ୍ଭାବନାକୁ ଅନିଶ୍ଚିତା ଆଡକୁ ଠେଳି ଦେଲା ଫାଇଲିନ ବାତ୍ୟା । ସବୁକିଛି ଭାଙ୍ଗିରୁଜି ଧ୍ୱସ୍ତ ସ୍ତୁପ ହୋଇଗଲା । ତେବେ ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲା । ୨୦୧୪ ମସିହାରେ ଗଂଜାମ ଜିଲ୍ଲାପାଳ, କମ୍ପାନୀ କର୍ତୃପକ୍ଷ, ଶ୍ରମିକ ପ୍ରତିିନିଧି ମଧ୍ୟରେ ବି ଆଲୋଚନା ହୋଇଥିଲା । ଏପରିକି ବିଧାନସଭାରେ ଉଠିଥିଲା ପ୍ରସଙ୍ଗ । ୨୦୧୫ ମସିହାରେ ତକ୍ରାଳୀନ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମସ୍ତ ପକ୍ଷ ସହିତ ଆଲୋଚନା କରି ଏହାକୁ ପୁଣି ଆରମ୍ଭ କରାଯିବ ବୋଲି ଉତର ଦେଇଥିଲେ । କିନ୍ତୁ ବର୍ଷ ପରେ ବର୍ଷ ବିତିଛି, ଅଥଚ ଖୋଲିପାରି ନାହିଁ ଏହି ସୂତାକଳ ।

ସ୍ଥାନୀୟ ଅଂଚଳର ଶ୍ରମିକଙ୍କ ପାଖରେ ସୂତାକଳରେ କାମ କରିବାର ଅଭିଜ୍ଞତା ଥିବା ବେଳେ ଏଠାରେ କାମ ଅଭାବରୁ ସେମାନେ ଏବେ ସୁରଟର ସୂତାକଳକୁ ଭରସା କରୁଛନ୍ତି । ଏହି ସୂତାକଳକୁ ପୁନରୁଦ୍ଧାର କରିଥିଲେ ଆଜି ଏମାନଙ୍କୁ ପୁଣି ଥରେ ସୁରଟ ଯିବାକୁ ପଡିନଥାନ୍ତା । କରୋନା କଟକଣା ବେଳେ ଫେରିଥିବା ଶ୍ରମିକଙ୍କୁ କାମ ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ତାହା ହୋଇଛି ସାତ ସପନ । ଫଳରେ ସମସ୍ତେ ଭିଟାମାଟି ଛାଡି ପ୍ରବାସରେ ଯିବାକୁ ବାଧ୍ୟ ହେଉଛନ୍ତି ।