ଦିନେ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଥିଲେ । ଆଜି ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ।

176

କନକ ବ୍ୟୁରୋ: ଆଦର୍ଶ ପଞ୍ଚାୟତର ଆଦର୍ଶ ପ୍ରାର୍ଥୀ । ନିଜ ଗାଁକୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଇବାର ଲକ୍ଷ୍ୟ ନେଇ ଚାକିରି ଛାଡି ଭୁବନେଶ୍ୱରରୁ ଚାଲି ଆସିଥିଲେ ଗାଁକୁ । ନିଜ ଗାଁରେ ଏଭଳି କାମ କଲେ ଯେ ବର୍ତ୍ତମାନ ତାଙ୍କ ପଞ୍ଚାୟତ ଆଦର୍ଶ ପଞ୍ଚାୟତ ସହ ନିଜେ ଆଦର୍ଶ ସରପଞ୍ଚ ଭାବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପାଇଛନ୍ତି ପ୍ରଶଂସା ।

ରାୟଗଡା ଜିଲ୍ଲା ରାୟଗଡା ବ୍ଳକରେ ଅବସ୍ଥିତ କୁଲି ପଞ୍ଚାୟତ । ରାୟଗଡାଠାରୁ ମାତ୍ର ୨୦ କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତ ମୋଟ ୮ ଟି ଗାଁ ଓ ୧୧ଟି ଓାର୍ଡକୁ ନେଇ ଗଠିତ । ଏହି ପଞ୍ଚାୟତର ମୋଟ ଜନସଂଖ୍ୟା ହେଉଛି ୨,୬୫୭ ଓ ମୋଟ ଭୋଟର ସଂଖ୍ୟା ୨,୩୮୭ ଜଣ । ସେଥିରୁ ୧,୨୭୪ ଜଣ ମହିଳା ଭୋଟର ଥିବା ବେଳେ ୧,୧୧୩ ଜଣ ପୁରୁଶ ଭୋଟର ତେବେ କୁଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ସରକାରୀ ସୁବିଧା ପହଞ୍ଚି ପାରିନଥିଲା । ଯାହାକି ହରପ୍ରସାଦଙ୍କୁ ବିଚଳିତ କରିଥିଲା ।

୨୯ ବର୍ଷୀୟ ଯୁବକ ହରପ୍ରସାଦ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରାଜନୀତି ବିଜ୍ଞାନରେ ସ୍ନାତକ କରି ଚାକିରି କରୁଥିଲେ । ହେଲେ ନିଜ ପଞ୍ଚାୟତର ଅସୁବିଧା ଦେଖି ସେ ଚାକିରି ଛାଡି ନିଜ ଗାଁକୁ ପଳାଇ ଆସିଥିଲେ । ଲୋକଙ୍କୁ ସାହାଯ୍ୟ ସହ ନିଜ ପଞ୍ଚାୟତର ଉନ୍ନତି ପାଇଁ ସେ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ପାଦ ଥାପିଥିଲେ । ୨୦୧୭ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଦେଖି ନଥିଲେ । ସିଏ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ କରିପାରିଛନ୍ତି, ଯାହାକୁ ନେଇ ସ୍ଥାନିୟ ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ତାଙ୍କ ପଞ୍ଚାୟତକୁ ୨୦୧୮ ମସିହାରେ ସୁସ୍ଥ ପଞ୍ଚାୟତ ଓ ୨୦୨୦ ମସିହାରେ ତାଙ୍କୁ ଶ୍ରେଷ୍ଠ ସରପଞ୍ଚ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଦିନେ ଏହି କୁଲି ପଞ୍ଚାୟତ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହଉଥିଲା । ହେଲେ ଯେତେବେଳେ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ସରପଞ୍ଚ ହେଲେ ସମସ୍ତ ସୁବିଧା ବର୍ତ୍ତମାନ ଲୋକଙ୍କ ହାତ ପାଆନ୍ତାରେ । ଏହି ପଞ୍ଚାୟତର ୮ ଟି ଗାଁକୁ ଗମନାଗମନ ପାଇଁ ସିସି ରୋଡ, ଅଙ୍ଗନବାଡି, ସ୍କୁଲ, ବିଜୁଳି, ଶୌଚାଳୟ, ସୋଲାର ପାଇପ ସହ ସମସ୍ତଙ୍କ ଘରକୁ ପାଇପ ଯୋଗେ ବିଶୁଦ୍ଦ ପାନୀୟ ଜଳ ପହଞ୍ଚିପାରିଛି । ତାଙ୍କର ଏପରି କାମ ଦେଖି ସ୍ଥାନୀୟ ଲୋକେ ଠିକ କରିଛନ୍ତି ଯେ ସମସ୍ତ ନିର୍ବାଚନରେ ଶିକ୍ଷିତ ପାର୍ଥୀ ହିଁ ଲଢି ନିର୍ବାଚିତ ହେବା ଦରକାର । ଗତ ନିର୍ବାଚନରେ ସରପଞ୍ଚ ହୋଇଥିବା ଉଚ୍ଚଶିକ୍ଷିତ ହରପ୍ରସାଦ ଚଳିତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଡୁଛନ୍ତି । ତାଙ୍କର ବିଶ୍ୱାସ ରହିଛି ଯେ ଲୋକେ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବେ ଏବଂ ତାଙ୍କର ଅଧୁରା କାମକୁ ସେ ପୂରଣ କରିବେ ବୋଲି କହିଛନ୍ତି ।