ହାତରେ ଆଉ ଗୋଟିଏ ଦିନ । କାଲି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ଶେଷ ମୁହୁର୍ତରେ ୩ ଦଳର ଜୋରଦାର ଉଦ୍ୟମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନେତା ଓ ଅଭିନେତା ।

89

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପାଇଁ ରବିବାର ହେଉଛି ପ୍ରଚାରର ଶେଷ ଦିନ । ଯେତିକି ସମୟ ରହିଛି, ତାକୁ ହାତ ଛଡ଼ା ନକରି ଚାଲିଛି ଜୋରଦାର ପ୍ରଚାର । ବଳ କଷାକଷି ହେଉଛନ୍ତି ଦଳୀୟ ପ୍ରାର୍ଥୀ ଓ ନେତା । ତିର୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ରୋଡ-ସୋ କରିବା ସହିତ ମାରାଥନ୍ ପ୍ରଚାର କରିଛନ୍ତି । ତାଙ୍କ ସହିତ ବିଜେଡିର ହେବିୱେଟ୍ ନେତା ମଧ୍ୟ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି । ଖାଲି ବିଜେଡି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟ ହାଇ ଭୋଲଟେଜ୍ ପ୍ରଚାର କରୁଛନ୍ତି । କେଉଁଠି ଡୋର ଟୁ ଡୋର କ୍ୟାମ୍ପେନିଂ ତ ଆଉ କେଉଁଠି ଦେଖିବାକୁ ମିଳିଛି ନିର୍ବାଚନୀ ରାଲି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଶେଷ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରିଛନ୍ତି । ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଜ କିଶୋର ବେହେରା ମଧ୍ୟ ପ୍ରଚାରକୁ ଆହୁରି ସରଗରମ କରିଛନ୍ତି ।

ସେପଟେ ରାଜ୍ୟ ରାଜନୀତିର ସବୁଠୁ ବଡ଼ ବ୍ୟାଟେଲ ଗ୍ରାଉଣ୍ଡ ପାଲଟିଛି ବାଲେଶ୍ୱର । ଯେଉଁଠି ଡ଼େରା ପକାଇଛନ୍ତି ନେତା, ମନ୍ତ୍ରୀ, ବିଧାୟକ ଓ ଅନେକ ହେବିୱେଟ୍ ନେତା । ଏହି ଆସନଟି ଉଭୟ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ସୁଯୋଗକୁ ହାତ ଛଡ଼ା ନକରି ତିନି ପ୍ରମୁଖ ଦଳ କରୁଛନ୍ତି ମାରାଥାନ୍ ରାଲି ଓ ପ୍ରଚାର । ବିଜେଡ଼ି ପ୍ରାର୍ଥୀ ସ୍ୱରୁପ ଦାସ ଡ଼ୋର ଟୁ ଡ଼ୋର କ୍ୟାମ୍ପେନିଂ କରୁଛନ୍ତି । ଆଉ ବିଜେଡ଼ିର ମାଳ ମାଳ ନେତା ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତ ସହାନୁଭୁତି ସାଉଁଟିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ଭୋଟ ହାତେଇବା ପାଇଁ ଘର ଘର ବୁଲି ପ୍ରଚାର କରିଛନ୍ତି । ସେପଟେ ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁ ବାରିକ ମଧ୍ୟ ଅନ୍ୟମାନଙ୍କ ପାଇଁ ଚ୍ୟାଲେଂଜ ପାଲଟିଛନ୍ତି ।

ରବିବାର ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ହେବ ଶେଷ ପ୍ରଚାର । ନଭେମ୍ବର ୩ ତାରିଖରେ ପଡ଼ିବ ଭୋଟ୍ । ୧୦ ତାରିଖରେ ଆସିବ ଜନାଦେଶ । କିଏ ହେଉଛି ବାଲେଶ୍ୱରର ବାଜିଗର, ଆଉ କିଏ ପିନ୍ଧୁଛି ତିର୍ତୋଲର ତାଜ୍, ତା ଉପରେ ରହିଛି ସମସ୍ତଙ୍କ ନଜର ।