କନକ ବ୍ୟୁରୋ : ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ । ସେ ହେଉଛନ୍ତି ୱାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଫଳରେ ଏବେ ସେ ଟିମ୍ ଇଣ୍ଡିଆର ନିଜ ଚମତ୍କାର ଦେଖାଉଛନ୍ତି ।

Advertisment

୨୯ ବର୍ଷିୟ ଟି ନଟରାଜନଙ୍କ ପୂରା ନାଁ ଥଙ୍ଗରାସୁ ନଟରାଜନ । ତାଙ୍କ ଜନ୍ମ ତାମିଲନାଡୁର ଏକ ଗରିବ ପରିବାରରେ ହୋଇଥିଲା । ନଟରାଜନଙ୍କୁ ପାଠ ପଢାଇବା ପାଇଁ ବାପା ଷ୍ଟେସନରେ କୁଲି କାମ କରୁଥିଲେ ଆଉ ମା ରାସ୍ତା କଡରେ ଚିକେନ ବିକୁଥିଲେ । ଅର୍ଥ ଅଭାବରୁ ଲେଦର ବଲଠୁ ଦୂରରେ ରହୁଥିଲେ ନଟରାଜନ । ହେଲେ ଟେନିସ ବଲରେ ମଧ୍ୟ ତାଙ୍କ ବୋଲିଂର ସ୍ପିଡ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଚକିତ କରିଦେଉଥିଲା ।

ତେବେ ଟେନିସ ବଲରେ ଖେଳୁଥିବା ବେଳେ ଡିଭିଜିନାଲ କ୍ରିକେଟର ଏ ଜୟପ୍ରକାଶ ତାଙ୍କୁ ଦେଖିଥିଲେ ଓ ଚେନ୍ନାଇ ନେଇଯାଇଥିଲେ । ଆଉ ସେଠାରେ ସେ ଏକ ବଡ କ୍ଲବ ପାଇଁ କ୍ରିକେଟ ଖେଳିଥିଲେ । ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ତାମିଲନାଡୁ ରଣଜୀ ଦଳରେ ସ୍ଥାନ ମିଳିଥିଲା । ଏତେ ବାଟ ଆସିବା ପରେ ଧିରେ ଧିରେ ନଟରାଜନଙ୍କ ଗରିବି ଦୂରେଇବାକୁ ଲାଗିଥିଲା । ହେଲେ ତାଙ୍କ ଜୀବନର ବଡ ଦିନ ସେବେ ଆସିଥିଲା ଯେବେ ସେ ଆଇପିଏଲରେ ସ୍ଥାନ ପାଇଥିଲେ । ୨୦୧୭ରେ ୩କୋଟି ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଥିଲା । ହେଲେ ଏହି ବର୍ଷ ସେ ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ ।

ପରେ ୨୦୧୮ରେ ସେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଥିଲେ । କିନ୍ତୁ ଏହି ଦୁଇ ବର୍ଷ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳି ନଥିଲା । ହେଲେ ୨୦୨୦ରେ ସେ ହାଇଦ୍ରାବାଦ ତରଫରୁ ମୈଦାନକୁ ଓହ୍ଲାଇଥିଲେ ନଟରାଜନ । ଆଉ ୨୦୨୦ ଆଇପିଏଲରେ ସେ ଏମିତି ଛାପ ଛାଡିଥିଲେ ଯେ ତାଙ୍କୁ ଶେଷରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ଦଳରେ ନି ନଟରାଜନଙ୍କ ନାଁ ଘୋଷଣା ହୋଇଥିଲା । ଏହାସହ ନଟରାଜନ ବିଦେଶରେ ଖେଳି ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ନଟରାଜନ ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚ ଖେଳି ୧୬ଟି ୱିକେଟ ନେଇଛନ୍ତି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଗୋଟିଏ ମ୍ୟାଚ ଖେଳି ୨ଟି ୱିକେଟ ନେଇଥିଲେ । ଆଉ ଟି-୨୦ରେ ୩ଟି ମ୍ୟାଚରେ ୬ଟି ୱିକେଟ ହାସଲ କରିଛନ୍ତି ।