ସକାଳେ ଗାଈ ଦୁହୁଁଛି, ସଞ୍ଜରେ ପାଠ ପଢୁଛି… ଷ୍ଟ୍ରିଟ୍ ଲାଇଟ୍ ତଳେ ପଢି ପୋଲିସ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଘରର ଛାତ୍ର ।

228

କନକ ବ୍ୟୁରୋ: ପାଠ ପଢିବି, ପୋଲିସ ହେବି… ଷ୍ଟ୍ରିଟ୍ ଲାଇଟ୍ ତଳେ ବଢୁଛି ପୋଲିସର ସ୍ୱପ୍ନ । ଚାରିଆଡେ କିଟିମିଟି ଅନ୍ଧାର । ସଞ୍ଚ ନଇଁବା କ୍ଷଣି ଶୂନଶାନ ସହର । ଆଉ ସେହି ଶୂନ୍ୟତା ଭାରା ଅନ୍ଧକାର ଭିତରୁ ଆଶାର ଆଲୁଅ ଅପେକ୍ଷାରେ ରାସ୍ତା କଡରେ ବସିପଟେ ଅଭିଷେକ । ରାତି ଆସେ, ରାସ୍ତାକଡେ ଆଲୁଅ ଜଳେ । ଆଉ ସେହି ଷ୍ଟ୍ରିଟ୍ ଲାଇଟ ତଳେ ଚାଲେ ସ୍ୱପ୍ନ ସଜଡା । ଆରମ୍ଭ ହୁଏ ପାଠପଢା, ପ୍ରତିକୂଳ ପରିସ୍ଥିତିରେ ପୋଲିସ ହେବାକୁ ପ୍ରୟାସ କରିଚାଲେ ଏ ଗରିବ ଛାତ୍ର ।

ମୁଣ୍ଡ ଉପରେ ଜଳୁଛି ଷ୍ଟ୍ରିଟ ଲାଇଟ୍, ରାସ୍ତା କଡର ଡ୍ରେନ ବନିଛି ଷ୍ଟଡି ରୁମ । ଆଉ ଷ୍ଟ୍ରିଟ ଲାଇଟ୍ ଫର୍ଚ୍ଚା ଫର୍ଚ୍ଚା ଆଲୁଅରେ ବଡ ବଡ ପାଟିରେ ପାଠ ପଢୁଛି ୭ମ ଶ୍ରେଣୀର ଅଭିଷେକ । ଘରେ ଆଲୁଅ ନାହିଁ, ଗରିବ ବୋଲି ବିଜୁଳି କିଣି ଜାଳିବାକୁ ପଇସା ନାହିଁ । କିନ୍ତୁ ଭବିଷ୍ୟତକୁ ସଜାଡିବାକୁ ଷ୍ଟ୍ରିଟ ଲାଇଟକୁ ଭରସା କରିଛି ଏ ଛାତ୍ର । ମାଳ ମାଳ ଗାଡିର କେଁ କାଁ ଶବ୍ଦ, କୋଳାହଳରେ ବି ନିଜକୁ ପଠାରେ ନିମଗ୍ନ କରିଛି ଆଉ ସେହି ଟ୍ରକ ଲାଇଟକୁ ବି ନିଜ ପାଠପଢାରେ ବିନିଯୋଗ କରୁଛି ସୁନ୍ଦରଗଡ ରାଜଗାଙ୍ଗପୁର ରାଣିବନ୍ଧ ବିଜୁ ଏକ୍ସପ୍ରେସ ୱେ କଡରେ ବସିଥିବା ଛାତ୍ର ଅଭିଷେକ ରାଏ ।

ରାଣୀବନ୍ଧ ସରକାରୀ ସ୍କୁଲରେ ୭ମ ଶ୍ରେଣୀର ଛାତ୍ର ଅଭିଷେକକୁ ଗରିବି ପାଇଁ ପାଠ ପଢିବାକୁ ବେଶ କଷ୍ଟ କରିବାକୁ ପଡୁଛି । ବାପା ଶମ୍ଭୁ ରାୟ, ବିହାର ପାଟଣାରୁ ଚାଲିଆସି ୩୦ ବର୍ଷ ହେବ ରାଜଗାଙ୍ଗପୁର ଅଞ୍ଚଳରେ ରହିଆସୁଛନ୍ତି । ଗଙ୍ଗା ନଦୀରେ ବନ୍ୟା ଆସି ତାଙ୍କ ଘରଦ୍ୱାରା ସବୁ ଉଜୁଡିଯିବା ପରେ ସେ ଏଠି ସେଠି ରହି ଆସୁଛନ୍ତି । ଆଉ ଏବେ ଏହି ରାସ୍ତା କଡେ ପାଲଟାଣି ରହିଛନ୍ତି । ଦୂରରୁ ଅତି ଦୟନୀୟ, ପରିତ୍ୟକ୍ତ ପରିବେଶ ଭଳି ଦେଖାଯାଉଥିବା ସ୍ଥାନରେ ଶମ୍ଭୁ ଓ ତାଙ୍କ ପରିବାର ରୁହନ୍ତି । ପିଲାଟି ବେଳୁ ଅଭିଷେକ ପାଠ ପ୍ରତି ରୁଚି ଥିବାରୁ ଅଭାବ ପାଇଁ ସେ ଆଗେଇ ପାରନ୍ତିନି । ତେଣୁ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ଦିନରେ ସେ ବାପାଙ୍କୁ ସାହାଯ୍ୟ କରନ୍ତି । ସକାଳେ ଗାଈ, ମଇଁଷିଙ୍କ ଠାରୁ କ୍ଷୀର ଦୁହିଁବା ସହ ଗୋରୁ ଗାଈଙ୍କ ସବନ କାମ କରନ୍ତି । ଆଉ ସଞ୍ଜ ବାଜିବା କ୍ଷଣି ବହିବସ୍ତାନୀ ଧରି ରାସ୍ତା ଉପକୁ ବାହାରି ଯାଆନ୍ତି ଅଭିଷେକ ।

ଲକଡାଉନ ପାଇଁ ସିନା ସ୍କୁଲ ବନ୍ଦ ରହିଛି ହେଲେ ନିଜ ପାଠ ପଢାରେ କେବେ ହେଳା କରି ନାହାନ୍ତି ଅଭି । ଦାରିଦ୍ରତାର ଚାବୁକ ମାଡରେ ସିନା ଏ ଛାତ୍ରଙ୍କ ଜାମା ଚିରିଫାଟି ଯାଇଛି ହେଲେ ପଢା ପ୍ରତି ନିଷ୍ଠା ତାଙ୍କୁ ହରେଇ ପାରିନି । ଷ୍ଟ୍ରିଟ ଲାଇଟରେ ହେଉ ପଛେ ସେ ପାଠ ପଢନ୍ତି ପୋଲିସ ହେବାକୁ । ହେଲେ ବର୍ଷା ପବନ ପାଇଁ ଯେବେ ରାସ୍ତା କଡର ଆଲୁଅ ଲିଭିଯାଏ ସେବେ ଅନ୍ଧାରକୁ ଠେଲି ହୋଇଯାଏ ଅଭିଷେକଙ୍କ ଭବିଷ୍ୟତ । ମାତ୍ର ସେହି ଅନ୍ଧାର ଭିତରୁ ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖି କସରତ କରି ଚାଲିଛନ୍ତି ଅଭି ।

ସିଲଭର ବାଲଟିରେ କ୍ଷୀର ଯେତେଯେତେ ଭର୍ତ୍ତି ହେଉଥିବ ଅଭିଷେକଙ୍କ ସ୍ୱପ୍ନ ସେତେସେତେ ଫର୍ଚ୍ଚା ହେଉଥିବ । କାରଣ କ୍ଷୀର ବିକିଲେ ହିଁ ପରିବାର ଚଳିବ, ପଢା ପାଇଁ ପଇସା ଆସିବ । ଦିନ ତମାମ ଏହି କଷ୍ଟ ପରେ ସଞ୍ଜରେ ସ୍ୱପ୍ନକୁ ଶିଢି ବାନ୍ଧନ୍ତି ଅଭି । କାରଣ ଦିନେ ଅବଦୁଲ କାଲାମା ଏହି ଷ୍ଟ୍ରିଟ ଲାଇଟ୍ ତଳେ ପଢି ବଡ ମଣିଷ ହୋଇଥିଲେ ଆଉ ଏବେ ଅଭିଷେକ ସେହି ଷ୍ଟ୍ରିଟ ଲାଇଟ୍ ତଳେ ପଢି ଦିନେ ପୋଲିସ ହେବାକୁ ସ୍ୱପ୍ନ ଦେଖୁଛି… ଆଶା କରିବା ସରକାର କିମ୍ବା ପ୍ରଶାସନ ଅଭିଷେକଙ୍କ ଚାରିପଟର ଅନ୍ଧାର ଦୂରେଇ ଦେବେ ଆଉ ତା ଭବିଷ୍ୟତ ପାଇଁ ଆଲୁଅର ବ୍ୟବସ୍ଥା କରିବେ…