ଗାଁରେ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ । ଆମେରିକାରେ ରହୁଥିବା ପ୍ରତିଷ୍ଠିତ ଓଡିଆ ଡାକ୍ତର ନିଜ ଭିଟାମାଟିରେ ତିଆରି କରିବେ ମନ୍ଦିର

1,879

କନକ ବ୍ୟୁରୋ : ନିଜ ଗାଁରେ ମନ୍ଦିର ପ୍ରତିଷ୍ଠା ପାଇଁ ବିଦେଶରେ ରହୁଥିବା ଓଡିଆ ଡାକ୍ତର ଦାନ କଲେ ଏକ କୋଟି ଟଙ୍କା । ଏଭଳି ଭଲ ଖବର ଆସିଛି ଯାଜପୁର ବ୍ଲକ ବେରୁଦା ପଞ୍ଚାୟତର ଜଗତପୁର ଗାଁରୁ । ଆମେରିକାରେ ଡାକ୍ତର ରହି ସୁନାମ ଅର୍ଜନ କରିଥିବା ଗାଁର ଭାସ୍କର ଚନ୍ଦ୍ର ନାୟକ ଏହି ଟଙ୍କା ଦାନ କରିଛନ୍ତି । ଏପରିିକି ପତ୍ନୀଙ୍କ ସହ ମନ୍ଦିରର ଭୂମିପୂଜନ ଉତ୍ସବରେ ବି ସାମିଲ ହୋଇଛନ୍ତି ।

୧୭ ବର୍ଷ ତଳେ ଆମେରିକାରେ ସେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲା । ଏବେ ସେହି ଢାଞ୍ଚାରେ ଗାଁରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ସେ ୧ କୋଟି ଟଙ୍କା ଦାନ କରିଛନ୍ତି । ଗାଁରେ ମନ୍ଦିର ନିର୍ମାଣ ପାଇଁ ଅନେକ ସ୍ଥାନୀୟ ଲୋକ ଜମିଦାନ କରିଛନ୍ତି । ଆଉ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢାଇଛନ୍ତି ଭାସ୍କର ନାୟକ । ଭୂମିପୂଜନ ପରେ ତାଙ୍କ ମା ତାଙ୍କୁ ବାନ୍ଧରେ ବସାଇ ପୁରୀକୁ ଯାଇଥିବା କଥା କହି ଭାବ ବିହ୍ୱଳ ହୋଇଛନ୍ତି ଭାସ୍କର ।

ମନ୍ଦିର ନିର୍ମାଣ ପାଇଁ ଗ୍ରାମର ଶତ୍ରୁଘ୍ନ ପ୍ରଧାନ, ବିଜୟ ପ୍ରଧାନ, ଅଜୟ ପ୍ରଧାନଙ୍କ ସମେତ ଅନ୍ୟକିଛି ବ୍ୟକ୍ତି ଜମି ଦାନ କରିଥିବାବେଳେ ଡାକ୍ତର ନାୟକଙ୍କ ସହାୟତାରେ ଏକ ଆକର୍ଷଣୀୟ ମନ୍ଦିର ପ୍ରତିଷ୍ଠା ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଡାକ୍ତର ନାୟକ କହିଛନ୍ତି, ‘ ତାଙ୍କ ବାପା ଜଗନ୍ନାଥଙ୍କ ଭକ୍ତ ଥିଲେ। ସେ ମଧ୍ୟ ଜଗନ୍ନାଥଙ୍କ କୃପାରୁ ପ୍ରତିଷ୍ଠିତ ହୋଇପାରିଛନ୍ତି । ଛୋଟବେଳେ ମା’ ତାଙ୍କୁ କାନ୍ଧରେ ବସାଇ ପୁରୀକୁ ନେବାକଥା ଆଜି ବି ତାଙ୍କର ମନେରହିଛି ।’