ଗଞ୍ଜାମରୁ ଚିହ୍ନଟ ହେଲେ ଆଉ ଜଣେ ପଜିଟିଭ: ଜିଲ୍ଲାର ଚତୁର୍ଥ ପଜିଟିଭ ୧୮ ବର୍ଷିୟ ସୁରତ ଫେରନ୍ତା; ଏବେ ସୁଦ୍ଧା ୫ ସୁରତ ଫେରନ୍ତା ପଜିଟିଭ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭

593

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାରୁ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଗଂଜାମର ଏହି ଆକ୍ରାନ୍ତଙ୍କୁ ନେଇ ଆସିଛି ତଥ୍ୟ । ନୂଆ ଆକ୍ରାନ୍ତ ଜଣକ ୧୮ ବର୍ଷୀୟ ସୁରତ ଫେରନ୍ତା ଯୁବକ ବୋଲି ଜଣାପଡିଛି । ତାଙ୍କର କଂଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ଯାଂଚ ଜାରି ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୭୭ କୁ ବୃଦ୍ଧି ହୋଇଛି ।

ଯାଜପୁରରେ ସର୍ବାଧିକ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଖୋର୍ଧାରେ ୪୭, ବାଲେଶ୍ୱରରେ ୨୪, ଭଦ୍ରକ ୨୧, ସୁନ୍ଦରଗଡ ୧୨, ଗଂଜାମରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, କଟକ, କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ନମୂନା ପରୀକ୍ଷା ନେଇ ତଥ୍ୟ ଆସିଛି ସାମ୍ନାକୁ । ଗତ ୨୪ ଘଂଟାରେ ରାଜ୍ୟରେ ୨୭ ଶହ ୯୧ ନମୂନା ପରୀକ୍ଷଣ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷଣ ସଂଖ୍ୟା ୪୭ ହଜାର ୪୫୪କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୭କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ କେସ୍ ସଂଖ୍ୟା ୧୧୫ ରହିଛି । ୬୦ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।

ସେପଟେ, ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ମୃତକ ଜଣକ ଖୋର୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହା ସହିତ ଦ୍ୱିତୀୟ ମୃତକଙ୍କୁ ନେଇ ଅଧିକ ତଥ୍ୟ ଆସିଛି ସାମ୍ନାକୁ । ମୃତକ ହେଉଛନ୍ତି ଜଣେ ବୟସ ୭୭ ବର୍ଷ । ଘର ଭୁବନେଶ୍ୱରର ମଧୁସୂଦନ ନଗର ଅଂଚଳରେ । ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ମୃତକଙ୍କ ଜଣେ ପରିବାର ଲୋକଙ୍କର ସାମ୍ପଲ ପଜିଟିଭ୍ ଆସିଥିଲା । କଂଟାକ୍ଟ ଟ୍ରେସିଂ ପରେ ତାଙ୍କର ନମୂନା ପରୀକ୍ଷା ପାଇଁ ଯାଇଥିଲା । ୯ ଅପ୍ରେଲରେ ମୃତକଙ୍କ ନମୂନା ନେଗେଟିଭ୍ ଆସିଥିଲା । ଏହା ପରେ ପରୀକ୍ଷା ପାଇଁ ଯାଇଥିଲା ନମୂନା । ୨୮ ଅପ୍ରେଲରେ ଏହା ପଜିଟିଭ୍ ଆସିଥିଲା । ଗତକାଲି ଏହି ଆକ୍ରାନ୍ତଙ୍କର ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛିା