ସଙ୍କଟରେ ଶୈଶବ: ପ୍ରତି ୮ ମିନିଟରେ ନିଖୋଜ ହେଉଛନ୍ତି ଜଣେ ଶିଶୁ । ଯୌନ ଶୋଷଣ, ଶିଶୁବଳୀ ନିଖୋଜର ମୁଖ୍ୟ କାରଣ

222

କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ଶିଶୁ ନିଖୋଜ ସମସ୍ୟା । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏବେ ବଡ ସମସ୍ୟା ରୂପେ ଛିଡା ହୋଇଛି ଅପହରଣ ଓ ନିଖୋଜ ଘଟଣା । ଦିନକୁ ଦିନ ଶିଶୁ ନିଖୋଜ ବଢୁଥିବା ବେଳେ ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ପ୍ରତି ୮ ମିନିଟରେ ଜଣେ ଶିଶୁ ନିଖୋଜ ହେଉଥିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ତେବେ ଭାରତର ରାଜଧାନୀ ଦିଲ୍ଲୀରୁ ଆସିଛି ଛାତିକୁ ଥରାଇ ଦେଲା ଭଳି ରିପୋର୍ଟ । ଦିଲ୍ଲୀ ଛାତି ଉପରୁ ଗତ ୫ ବର୍ଷ ଭିତରେ ୪୧ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଛନ୍ତି । ଦିଲ୍ଲୀରେ ୨୦୧୨ରୁ ୨୦୧୭ ମଧ୍ୟରେ ୪୧ ହଜାର ୩୯୪ ଜଣ ଶିଶୁଙ୍କ ପତ୍ତ ମିଳୁନି । ସେହିପରି କେବଳ ୨୦୧୭ ବର୍ଷରେ ନିଖୋଜ ଶିଶୁଙ୍କ ସଂଖ୍ୟା ୬୪୫୪ ଥିବାବେଳେ ସେଥି ମଧ୍ୟରୁ ୩୯୧୫ ଜଣ ନାବାଳିକା ଓ ୨୫୩୫ ଜଣ ନାବାଳକ ଅଛନ୍ତି ।
ସବୁଠାରୁ ବଡ କଥା ହେଉଛି ନିଖୋଜ ପଛରେ ରହିଛି ଅପହରଣର ଅନ୍ଧାରୀ ହାତ । ପାଣିରେ ଭାସି, ମେଳା ମହୋତ୍ସବରେ ହଜିଯାଇ କିଛି ପିଲା ନିଖୋଜ ହୋଇଥିବା ବେଳେ ୩ଟି ବଡ କାରଣ ପାଇଁ ଶିଶୁ ନିଖୋଜ ସାଙ୍ଘାତିକ ହେଉଛି ।

ଶୂନ୍ୟ କୋଳ ପୂର୍ଣ୍ଣ ପାଇଁ…

ଶୂନ୍ୟ କୋଳ ପୂର୍ଣ୍ଣ କରିବା ଶିଶୁ ନିଖୋଜର ପ୍ରଥମ କାରଣ ହୋଇପାରେ । ଯେଉଁ ମହିଳାଙ୍କର ସନ୍ତାନସନ୍ତତି ନାହାନ୍ତି ବା କୌଣସି ପରିସ୍ଥିତିରେ ସେ ନିଜ ଜନ୍ମକଲା ପିଲାକୁ ହରାଇ ନିଜ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ସେମାନଙ୍କୁ ସ୍ୱାଭାବିକ ସ୍ଥିତିକୁ ଆଣିବାକୁ ତାଙ୍କ କୋଳରେ ପିଲାଟିଏ ଧରାଇ ଦିଆଯାଏ । ଆଉ ଏଥିପାଇଁ ପିଲା ଅପହରଣ କରି ହିଁ ଅଣାଯାଇଥାଏ । ଯାହା ନିଖୋଜର ମୁଖ୍ୟ କାରଣ ।

ଯୌନ ଶୋଷଣ ପରେ ହତ୍ୟା

ସମାଜରେ ଅନେକ ଲୋକ ନିଜ ଯୌନ କ୍ଷୁଧା ମେଣ୍ଟାଇବାକୁ ଶିଶୁଙ୍କୁ କରୁଛନ୍ତି ପ୍ରଥମ ମାଧ୍ୟମ । ଯୌନ ରାକ୍ଷସଙ୍କ ପ୍ରଥମ ଶିକାର ହେଉଛନ୍ତି ନାବାଳିକା । ଛୋଟ ଛୋଟ ଝିଅଙ୍କୁ ବାହାନା ଦେଖାଇ ପଡୋଶୀ ମାନେ ବିଭିନ୍ନ ସ୍ଥାନକୁ ନେଇ ନିଜର କ୍ଷୁଧା ମେଣ୍ଟାଇଥାନ୍ତି । ଆଉ ତାପରେ ଉକ୍ତ ନାବାଳିକାମାନଙ୍କୁ ହତ୍ୟା କରି ପୋତି ଦେଉଥିବାର ଅନେକ ନଜିର ରହିଛି । ଶିଶୁକନ୍ୟା ନିଖୋଜର ଏହା ମଧ୍ୟ ଏକ ବଡ କାରଣ ହୋଇ ଛିଡା ହୋଇଛି ।

ଶିଶୁ ବଳୀ

ସେପଟେ ଯୌନ ଶୋଷଣକୁ ଟପି ଯାଉଛି ଶିଶୁବଳୀ । ଏବେବି ଅନେକ ଅଞ୍ଚଳରେ ଅନ୍ଧବିଶ୍ୱାସକୁ ଭୁଲି ପାରିନାହନ୍ତି ଲୋକେ । ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଅନେକ ଲୋକେ ବଳୀକୁ ସମସ୍ୟାର ସମାଧାନ ରୂପେ ଭାବନ୍ତି । ଗୁଣିଆମାନଙ୍କ କଥାରେ ଲୋକେ ବଳୀ ଦେବାକୁ ଶିଶୁମାନଙ୍କ ଅପହରଣ କରନ୍ତି । ଗାଁ ଗହଳି, ମେଳା ଓ ଜନଗହଳି ସ୍ଥାନରୁ ପିଲାଙ୍କୁ ଚୋରି କରି ବଳୀ ଦିଅନ୍ତି । ଯାହା ଶିଶୁ ନିଖୋଜର ଆଉ ଏକ ପ୍ରମୁଖ କାରଣ ।

ତେବେ ଖାଲି ଦିଲ୍ଲୀରେ ନୁହେଁ ଆମ ରାଜ୍ୟ ଓଡିଶାରେ ମଧ୍ୟ ନିଦ ହଜାଇଛି ନାବାଳକ, ନାବାଳିକା ନିଖୋଜ ସମସ୍ୟା । ଚଳିତ ବିଧାନସଭାରେ ଶିଶୁ ନିଖୋଜ ନେଇ ସାଙ୍ଘାତିକ ସତ ଦେଇଛନ୍ତି ସରକାର । ଚଳିତ ବର୍ଷ ୩ ମାସରେ ଅର୍ଥାତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୬୦୨ ଜଣ ଶିଶୁ ନିଖୋଜ ହୋଇଛନ୍ତି । ସେଥିମଧ୍ୟରୁ ୫୦୨ ନାବାଳିକା ଥିବା ବେଳେ ୧୦୦ ଜଣ ନାବାଳକ ଅଛନ୍ତି । ସରକାରଙ୍କ ଏହି ୩ ମାସିଆ ନିଖୋଜ ରିପୋର୍ଟ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛି ।

ସେହିପରି ବିଗତ ୩ ବର୍ଷରେ ସ୍ଥିତି ସାଙ୍ଘାତିକ ହୋଇଛି । ୨୦୧୬ରୁ ୨୦୧୯ ମାର୍ଚ୍ଚ ଯାଏଁ ସ୍ଥିତି ସାଙ୍ଘାତିକ ହୋଇଛି । ପରିସଂଖ୍ୟାନ ଅନୁସାରେ ୨୬୫୮ ନାବାଳିକାଙ୍କ ସମ୍ପର୍କରେ କାହା ପାଖେ ଖବର ନାହିଁ କି ୩୨୭୬ କୁନି ପିଲାଙ୍କ ବାବଦରେ କେହି ସଚେତନ ନୁହଁନ୍ତି । ନିଖୋଜ ଶିଶୁଙ୍କୁ ଠାବ କରିବାକୁ ୨୦୧୫ରେ ଓଡିଶା ପୋଲିସ ଆରମ୍ଭ କରିଥିଲା ‘ଅପରେସନ ସ୍ମାଇଲ’ । ତେବେ ପୋଲିସର ଏ ସ୍ମାଇଲ ଅପରେସନ କେତେ ସଫଳ ହୋଇଛି ତାହା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି ।

୨୦୧୬ରେ ୫୦୧ ଜଣ ନାବାଳକ ନିଖୋଜ ହୋଇଥିବା ବେଳେ ୩୦୮ ଜଣ ଉଦ୍ଧାର ହୋଇଛନ୍ତି। ସମାନ ବର୍ଷ ୧୨୯୧ ନାବାଳିକା ନିଖୋଜ ହୋଇଥିବା ବେଳେ ୭୦୦ ଜଣଙ୍କୁ ଖୋଜି ପାଇବାରେ ସମର୍ଥ ହୋଇଥିଲା ପୁଲିସ ବିଭାଗ । ସେହିଭଳି ୨୦୧୭ରେ ନିଖୋଜ ୪୯୧ ନାବାଳକଙ୍କ ମଧ୍ୟରୁ ୩୦୯ ଜଣ ଓ ୧୩୬୦ ନିଖୋଜ ନାବାଳିକାଙ୍କ ମଧ୍ୟରୁ ୭୩୭ ଜଣଙ୍କ ପତ୍ତା ମିଳିଥିଲା ।

୨୦୧୮ରେ ୪୫୯ ଜଣ ନାବାଳକ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମିଳିଥିଲେ ୨୮୫ ଜଣ । ଉକ୍ତ ବର୍ଷ ୧୮୭୫ ନାବାଳିକା ନିଖୋଜ ହୋଇଥିବା ବେଳେ ୮୫୪ ଜଣଙ୍କୁ ଖୋଜିବାରେ ସମର୍ଥ ହୋଇଥିଲା ପୁଲିସ । ଆଉ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ ନିଖୋଜ ବାଳକଙ୍କ ମଧ୍ୟରୁ ମିଳିଛନ୍ତି ୩୧ ଜଣ । ଆଉ ନିଖୋଜ ୫୦୨ ନାବାଳିକାଙ୍କ ମଧ୍ୟରୁ ମିଳି ଛନ୍ତି ୭୯ ଜଣ ।

ତେବେ ରାଜ୍ୟ ସମେତ ସାରା ଦେଶରେ ଯଦି ଏଭଳି ଭାବେ ନିଖୋଜ ସଂଖ୍ୟା ବଢି ବଢି ଚାଲେ ତେବେ ଆଗାମୀ ଦିନରେ ଦେଶରେ ଶିଶୁ ସଙ୍କଟ ଦେଖାଯିବ ଏଥିରେ ସନ୍ଦେହ ନାହିଁ ।