ନିମୋନିଆ ନଜରରେ କୁନି ଜୀବନ ! ନିମୋନିଆ କାରଣରୁ ପ୍ରତି ୩୯ ସେକେଣ୍ଡର ବ୍ୟବଧାନରେ ଚାଲି ଯାଉଛି ଗୋଟିଏ କଅଁଳ ଜୀବନ , ଦ୍ୱିତୀୟ ନମ୍ବରରେ ରହିଛି ଭାରତ ।

181

ନିମୋନିଆ ଭଳି ରୋଗର ଉପଯୁକ୍ତ ଚିକିତ୍ସା ପଦ୍ଧତି ଉପଲବ୍ଧ ଥିବା ସତ୍ତେ୍ୱ ଆଗାମୀ ଦିନରେ ଏହା ଯେ ଲକ୍ଷାଧିକ ପିଲାଙ୍କ ଜୀବନ ନେଇପାରେ, ଶୁଣିଲେ ଆଶ୍ଟର୍ଯ୍ୟ ଲାଗେ । ଏହି ରୋଗରେ ପ୍ରତି ସେକେଣ୍ଡରେ ଜଣେ ପିଲାର ମୃତ୍ୟୁ ହେଉଛି । ଲକ୍ଷ ଲକ୍ଷ ପିଲା ନିମୋନିଆରେ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗରେ ୨୦୧୮ ରେ ପାଞ୍ଚ ବର୍ଷରୁ କମ୍ ବର୍ଷର ପିଲାଙ୍କ ମୃତ୍ୟୁ ମାମଲାରେ ଆଫ୍ରିକୀ ଦେଶ ନାଇଜେରିଆ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ନିମୋନିଆ ରୋଗରେ ପ୍ରତି ବର୍ଷ ଭାରତରେ ୧,୨୭,୦୦୦ ପିଲାଙ୍କ ମୃତ୍ୟୁ ହେଉଛି । ୟୁନିସେଫ ମୁତାବକ, ପୂର୍ବ ବର୍ଷ ନିମୋନିଆରେ ୮ ଲକ୍ଷରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁସାରେ, ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ୍ ୪୦ ଲକ୍ଷରୁ ଅଧିକ ପିଲାଙ୍କ ମୃତ୍ୟୁ ଟୀକାକରଣ, ଉପଚାର ଓ ପୋଷଣ ହାରରେ ସୁଧାର ଆଣିବା ପାଇଁ କଡା ପଦକ୍ଷେପ ଗ୍ରହଣ କରି ରୋକା ଯାଇପାରିବ । ସାରା ବିଶ୍ୱରେ ନିମୋନିଆ ସବୁଠାରୁ ମାରାତ୍ମକ ରୋଗ । ମ୍ୟାଲେରିଆ, ମିଳିମିଳା, ଝାଡା ଓ ଟାଇଫଏଡକୁ ମିଶାଇ ଯେତିକି ମୃତ୍ୟୁ ହୋଇଥାଏ, ତାହାଠାରୁ କାହିଁ କେତେ ଗୁଣା ଅଧିକ ମୃତ୍ୟୁ ନିମୋନିଆ କାରଣରୁ ହୋଇଥାଏ । ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପତନ, ବାୟୁ ପ୍ରଦୂଷଣ, କମ୍ ପୋଷଣ ମଧ୍ୟ ଏହି ରୋଗର ପ୍ରମୁଖ କାରଣ । ନିମୋନିଆର କାରଣ ମଧ୍ୟରେ ବାୟୁ ପ୍ରଦୂଷଣ ହେଉଛି ମୁଖ୍ୟ କାରଣ ।
ସାଧାରଣତଃ ଦୁଇ ବର୍ଷରୁ କମ ବୟସ୍କ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇଥାନ୍ତି । ୧,୫୩,୦୦୦ ପିଲାଙ୍କ ମୃତ୍ୟୁ ଜନ୍ମର ପୂର୍ବମାସରୁ ହିଁ ହୋଇଥାଏ । ଏହି ରୋଗ ଫଳରେ ନାଇଜେରିଆରେ ପାଖାପାଖି ୧,୬୦,୦୦୦ ପିଲାଙ୍କ ମୃତ୍ୟୁ ହୋଇସାରିଛି । ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଯେଉଁଠି ପୂର୍ବ ବର୍ଷ ୧,୨୭,୦୦୦ ପିଲାଙ୍କ ମୃତ୍ୟୁ ହୋଇଛି । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଆଉ ଦୁଇଟି ଆଫ୍ରିକୀ ଦେଶ କଙ୍ଗୋ ଏବଂ ଇଥିୟୋପିଆ ରହିଛି । କଙ୍ଗୋରେ ୪୦,୦୦୦ ଓ ଇଥିୟୋପିୟାରେ ୩୨,୦୦୦ ପିଲାଙ୍କ ମୃତ୍ୟୁ ହୋଇଛି ।