ଆଜି ମଧ୍ୟରାତ୍ରିରେ ମୁଣ୍ଡଳୀ ଦେଇ ପ୍ରବାହିତ ହୋଇପାରେ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ । ତଳିଆ ଅଂଚଳ ପ୍ରଭାବିତ ହେବା ସମ୍ଭାବନା :କେନ୍ଦ୍ରାପଡାରେ ଚିନ୍ତାରେ ଅଛନ୍ତି ନଈକୁଳିଆ ଲୋକେ

214

କନକ ବ୍ୟୁରୋ : ଆଜି ମଧ୍ୟରାତ୍ରୀ ବେଳକୁ ମୁଣ୍ଡଳିଠାରେ ସର୍ବାଧିକ ୧୦ ଲକ୍ଷରୁ ୧୦ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି । ଫଳରେ ତଳମୁଣ୍ଡରେ ଏକ ମଧ୍ୟମ ଧରଣ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି  । ତେବେ ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍ ଖୋଲାଯାଇଛି । ଫଳରେ ମହାନଦୀକୁ ନିଷ୍କାସିତ ହେଉଛି ୬ ଲକ୍ଷ ୫୮ ହଜାର ୫୭୦ କ୍ୟୁସେକ ଜଳ ।

ସେପଟେ ମହାନଦୀରେ ବନ୍ୟା ଜଳ ପ୍ରବାହ ବୃଦ୍ଧି ପାଇଥିବା ବେଳେ ତାର ଶାଖା ନଦୀଗୁଡିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ହିରାକୁଦରେ ଗେଟ ଖୋଲିବା ପରେ ନଦୀଗୁଡିକ ଆହୁରି ଫୁଲିବା ନେଇ ଆଶଙ୍କା ଦେଇଛି । ତେଣୁ ଏବେ ଚିନ୍ତାରେ ଅଛନ୍ତି ନଈ କୂଳିଆ ଲୋକେ ।

ଏପଟେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଆଳି ବ୍ଲକରେ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି । ଫଳରେ ରାଜକନିକା ବ୍ଲକର ୨ଟି ପଂଚାୟତର ୬ଟି ଗାଁ ଓ ଆଳି ବ୍ଲକର ଧୋୟା ଅଂଚଳର ୧୦ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏରଡଙ୍ଗ, ପାଳିମି, ଡିମିରିପାଳ, କେତୁଆପାଳ, ଗୋବିନ୍ଦପୁର, ସଂସିଦା, ଜୁଆଣିଆ, ଅର୍ଗଳ ପେତପଡା ଓ ଦେ ସାହି ପଂଚାୟତର ଲୋକମାନେ ବ୍ଲକ, ତହସିଲ, ଥାନା ଓ ମେଡିକାଲ ଯିବା ଆସିବା କରିପାରୁନାହାନ୍ତି ।

ଲୋକମାନେ ଜୀବନକୁ ବାଜି ଲଗାଇ ଡଙ୍ଗାରେ ପାର ହେଉଛନ୍ତି । ଏହି ପଂଚାୟତ ଗୁଡିକରେ ଚାଳ ଘର ଭାଙ୍ଗିବା ସହିତ ଘର ଭିତରେ ଅଂଟାଏ ପାଣି ରହିଛି । ୩ ଦିନ ହେବ ଭୋକଉପାସରେ ଅଛନ୍ତି ଲୋକମାନେ । ରାସ୍ତା ଉପରେ ନିଜ ପରିବାର ଧରି ବସି ରହିଛନ୍ତି ବନ୍ୟା ବିପନ୍ନ । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି । ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନ ।