ଡିଆରଡିଓ ଚାନ୍ଦିପୁର ଗୁପ୍ତ ତଥ୍ୟ ଲିକ୍ ଘଟଣା : ଦୁବାଇରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସୁଥିଲା ଟଙ୍କା

ଜଣେ ମହିଳାଙ୍କ ସହ ଚାଟ କରୁଥିଲେ ଅଭିଯୁକ୍ତ

254

କନକ ବ୍ୟୁରୋ : ଚାନ୍ଦିପୁର ଗୁପ୍ତଚରଙ୍କ ବାବଦରେ ଆସିଲା ବଡ ଖବର । ଅଭିଯୁକ୍ତଙ୍କ ନିକଟକୁ ଦୁବାଇରୁ ଆସିଥିଲା ଟଙ୍କା । ଦୁଇଟି କିସ୍ତିରେ ଜଣେ ଅଭିଯୁକ୍ତଙ୍କ ପାଖକୁ ୩୮ହଜାର ଟଙ୍କା ଆସିଥିଲା ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା । ଟଙ୍କା ନେଣଦେଣ ନେଇ ଅଧିକ ଯାଂଚ କରାଯାଉଥିବା କ୍ରାଇମବ୍ରାଂଚ ଏଡିଜି କହିଛନ୍ତି । ଜଣେ ମହିଳା ଅପରେଟିଭ ଫେସବୁକରେ ବିଭିନ୍ନ ଫେକ୍ ଆକାଉଂଟ ଖୋଲି ଚାଟ କରୁଥିବା ସହ ହ୍ୱାଟ୍ସଆପରେ ବି ଚାଟ କରୁଥିଲେ । ମହିଳା ଜଣକ ୟୁକେର ଏକ ମୋବାଇଲ ନମ୍ବର ବ୍ୟବହାର କରୁଥିବା ସୂଚନା ମିଳିଛି । ସେହିପରି ବାୟୁସେନାର ଏକ ଟିମ ଆସି ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ।

ସେପଟେ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସ ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି । ସେହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ପହଂଚିଛି ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ । ଏ ହେଉଛି ସେହି ସମୟର ଦୃଶ୍ୟ । ପାକିସ୍ତାନୀ ଏଜେଂଟଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଥିବାବେଳେ ଏମାନଙ୍କୁ ଜେରା କରିଛନ୍ତି ଭାରତୀୟ ବାୟୁସେନା । ବାୟୁସେନାର ବରିଷ୍ଠ ଅଧିକାରୀମାନେ ଭାରତୀୟ ପ୍ରତିରକ୍ଷା ବିଭାଗର ବିଭିନ୍ନ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ଲିକ ନେଇ ପଚରା ଉଚରା କରୁଥିବା ଜଣାପଡିଛି । କ୍ରାଇମବ୍ରାଂଚ ମଧ୍ୟ ଏ ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଚଳାଇଛି ।