ଦିନେଥିଲା ଗରିବଙ୍କ ଖାଦ୍ୟ, ଏବେ ଏଥିରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିଦେଶରେ ବି ହେଉଛି ପ୍ରଶଂସିତ

142

କନକ ବ୍ୟୁରୋ : ମାଣ୍ଡିଆରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା, ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସ୍ନାକ୍ସ । ସେଓ, ଗାଂଠିଆ, ଲଡ଼ୁ, ମିକ୍ସର, ପକୁଡ଼ି ଭଳି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା । ଗଂଜାମ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗାଁର ମା’ ରାଇମାଳୀ ସ୍ୱୟଂ ସହାୟକା ଗୋଷ୍ଠୀର ମହିଳା ପ୍ରସ୍ତୁତ କରୁଛନ୍ତି ଏହି ସବୁ ସାମଗ୍ରୀ । କିଛି ଦିନ ତଳେ ସୁଦୂର ପ୍ୟାରିସରେ ୧୨୫ଟି ଦେଶ ଅଂଶ ଗ୍ରହଣ କରିଥିବା ଏକ ଆନ୍ତର୍ଜାତୀୟ ଖାଦ୍ୟମେଳାରେ ଏହି ଗ୍ରୁପ୍ ଅଂଶ ଗ୍ରହଣ କରିଥିଲା । ଏଥିରେ ମାଣ୍ଡିଆରୁ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦର୍ଶନ କରି ବିଚାରକଙ୍କ ପ୍ରଶଂସା ସାଉଁଟିଥିଲେ ଏସଏଚଜି ମହିଳା ।

ଦନେ ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିବା ମାଣ୍ଡିଆ ଏବେ ସମସ୍ତଙ୍କର ଆତି ଆପଣାର ଖାଦ୍ୟ ହୋଇପାରିଛି । କାରଣ ଏଥିରେ ପ୍ରଚୁର ପରିମାଣର ପୃଷ୍ଟିସାର ଥିବାରୁ ଏହାକୁ ଲୋକେ ପ୍ରତିଦିନ ଖାଦ୍ୟରେ ସାମିଲ କରୁଛନ୍ତି । ଆଉ ଏସଏଚଜି ମହିଳାଙ୍କ ହାତ ତିଆରି ମାଣ୍ଡିଆ ଖାଦ୍ୟର ଚାହିଦା ବଢ଼ୁଛି । କିଛି ବର୍ଷ ପୂର୍ବରୁ ୧୨ ଜଣ ମହିଳା ମିଶି ମାଣ୍ଡିଆ ଚାଷ କରି ଉତ୍ପାଦିତ ମାଣ୍ଡିଆକୁ ପେଷି ମାଣ୍ଡିଆ ଚୁନା ପ୍ୟାକେଟ କରି ବିକ୍ରି କରୁଥିଲେ । ଏବେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ମାସକୁ ହଜାରେରୁ ୨ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।