ଭାଗ୍ୟ ହାତରେ ଜୀବନ: ଦିନେ ଶିକ୍ଷକ ଥିବା ମଧୁସୂଦନ ଏବେ ଫେରିବାଲା: ଟ୍ରାଇସାଇକେଲରେ ଫେରି କରି ପୋଷୁଛନ୍ତି କୁଟୁମ୍ବ, ପ୍ରଶାସନ ଆଖିରେ ପଡୁନି ଦୁଃଖ

159

କନକ ବ୍ୟୁରୋ: ଭାଗ୍ୟ କାହାକୁ କୁଆଡେ ନେବ କିଏ କହିବ । ଦିନେ ଥିଲେ ଶିକ୍ଷକ ଏବେ ଫେରିବାଲା । । ଆମେ କହୁଛୁ ବରଗଡର ଭିନ୍ନକ୍ଷମ ଯୁବକ ମଧୂସଦନ ବାଗଙ୍କ କଥା । ଜନ୍ମରୁ ପୋଲିଓ ।ହେଲେ ମନ ଟାଣ କରି ପାଠ ପଢି ନିଜକୁ ଯୋଗ୍ୟ କଲେ , ଶିକ୍ଷା ସହାୟକ ଭାବେ ନିଯୁକ୍ତି ମଧ୍ୟ ପାଇଲେ । ହେଲେ ଏତିକିରେ ସଂଘର୍ଷର ଶେଷ ହେଲାନି । ୨୦୦୬ରେ ତାଙ୍କୁ ଚାକିରିରୁ ଛଟେଇ କରିଦିଆଗଲା । ତଥାପି ହାର ମାନିଲେନି । ଘରେ ୪ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବାକୁ ଏବେ ବିଭିନ୍ନ ହାତ ତିଆରି ସାମଗ୍ରୀ ଧରି ଘର ଘର ବୁଲି ଫେରି କରୁଛନ୍ତି ।

ଜୀବନ କଷ୍ଟ ହୋଇପାରେ କିନ୍ତୁ ଅସମ୍ଭବ ତ ନୁହେଁ । ଏହାକୁ ମନରେ ଧରି ଆଗେଇ ଚାଲିଛନ୍ତି ମଧୁସୂଦନ ବାଗ୍ । ଚାକିରି ହରାଇବା ପରେ ବି ସାହାସ ହରାଇନାହାଁନ୍ତି । ତାଙ୍କ ସାହାସକୁ ମଜବୁତ କରୁଛନ୍ତି ସ୍ତ୍ରୀ ପ୍ରମିଳା । ଦୁହେଁ ମିଶି ପାପୋଛ, ତୁଳାବତୀ,ଫିନାଇଲ, ବି୍ଲଚିଙ୍ଗ , ତିଆରି କରିଥାନ୍ତି । ପିଲାଙ୍କ ଭଳିକି ଭଳି ମନୋହାରୀ ସାମଗ୍ରୀ ମଧ୍ୟ ମଧୁସୂଦନ ହାତରେ ତିଆରି କରିଥାନ୍ତି । ନିଜ ଟ୍ରାଇ ସାଇକେଲରେ ଘରଘର ବୁଲି ଏସବୁ ବିକ୍ରି କରୁଛନ୍ତି । ଏବେ କରୋନା ଯୋଗୁଁ ବେପାର ମାନ୍ଦା ଥିବାରୁ ଘର ଚଳେଇବା ମଧୁସୂଦନଙ୍କ ପାଇଁ କଷ୍ଟ ହେଉଛି । ଏପରି ସମୟରେ ବୁଢା ବାପା ଦିନ ମଜୁରୀ ଲାଗି ପରିବାରକୁ ସହାୟତା କରୁଛନ୍ତି ।

ସବୁଠୁ ବଡ କଥା ହେଲା ଏପରି ଦୁର୍ଦ୍ଦିନରେ ଦିନ କାଟୁଥିଲେ ବି ଏଯାଏଁ ମଧୂସୁଦନଙ୍କ ନାଁରେ ରାସନ କାର୍ଡ ଟିଏ ନାହିଁ । ଖାଲି ସେତିକି ନୁହେଁ ଇ ରିକ୍ସାଟିଏ ପାଇଁ ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ ପାଖରେ ଗୁହାରୀ କରିଥିଲେ ବି କିଛି ସୁଫଳ ମିଳିନାହିଁ ।ଗଣମାଧ୍ୟମ ପ୍ରତିନିଧି ପହଁଚିବା ପରେ ମଧୁସୂଦନଙ୍କୁ ସରକାରୀ ଯୋଜନା ଅନୁସାରେ ଯାହା କିଛି ସମ୍ଭବ ଯୋଗାଇ ଦେବାକୁ କହିଛନ୍ତି ଉପଜିଲ୍ଲାପାଳ ।ବାରମ୍ବାର ଅନୁରୋଧ ଶୁଣୁନଥିବା ପ୍ରଶାସନ ଗଣମଧ୍ୟମକୁ ଦେଇଥିବା କଥାକୁ କେବେ ପୂରଣ କରୁଛନ୍ତି ଦେଖିବାର କଥା ।