ଥରେ ଅର୍ଡର କଲେ ଘରେ ପହଂଚିଯିବ ଜିଅନ୍ତା ମାଛ । ଅକ୍ସିଜେନ ଭର୍ତି ପଲିଥିନିରେ ଘରକୁ ପଠାଯାଉଛି ମାଛ, ଜାଣନ୍ତୁ କେମିତି ?

2,015

କନକ ବ୍ୟୁରୋ : ମାଛ ଖାଇବାକୁ କିଏ ବା ପସନ୍ଦ ନ କରେ । ଆମିଷ ବାରିରେ ମାଛ ଦୋକାନରେ ଭିଡ ଦେଖିବାକୁ ମିଳେ । କିନ୍ତୁ ଭାବିଲେ ଯଦି ଆପଣଙ୍କ ଘରେ ଆପଣଙ୍କ ଇଚ୍ଛା ମୁତାବକ ଜିଅନ୍ତା ମାଛ ପହଂଚିବ ତାହେଲେ କେମିତି ହେବ । ନବରଙ୍ଗପୁର ଜିଲ୍ଲାର ସୁଜିତ ଦାସ କିଛି ଏଭଳି କରି ଦେଖାଇଛନ୍ତି ଯାହାକୁ ନେଇ ଜିଲ୍ଲାବାସୀ ଏବେ ଭାରି ଖୁସି । ଅର୍ଡର ଦେଲେ ଏଣିକି ଘରେ ପହଂଚିଯାଉଛି ଜିଅନ୍ତା ମାଛ ।

ଦିନେ ନବରଙ୍ଗପୁର ବଜାରରେ ଥିଲା ଆନ୍ଧ୍ର ବରଫ ଦିଆ ମାଛର ରାଜୁତି । ଜିଲ୍ଲାରେ ମାଛର ଉତ୍ପାଦନ ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ନିଜ ଅନିଚ୍ଛା ସତ୍ତ୍ୱେ ଲୋକେ ବାଧ୍ୟ ହୋଇ ଆନ୍ଧ୍ର ମାଛ ଉପରେ ନିର୍ଭର କରୁଥିଲେ । ବରଫ ମାଛ ବିକ୍ରୀ କରି ନବରଙ୍ଗପୁର ଜିଲ୍ଲାରୁ ମାସିକ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରୁଥିଲା । ମାଛ ପ୍ରତି ଲୋକଙ୍କ ରୁଚି ବଢୁଥିବା ବେଳେ ବରଫ ଦିଆ ମାଛ ଖାଉଥିବା ଦେଖାଦେଇଥିଲା । ଜିଲ୍ଲାରେ ସମସ୍ତ ଭିତ୍ତିଭୂମି ଥାଉମଧ୍ୟ ଆନ୍ତରିକତାର ଅଭାବରୁ ମାଛ ଚାଷ ହେଉନଥିଲା ଏହାସହ ଲାଭ କ୍ଷତିର ହିସାବ ନେଇ କେହି ଅନେକ ମାଛ ଚାଷ କରୁନଥିଲେ ।

ଏହାକୁ ଆଖି ଆଗରେ ରଖି ବିନା ସରକାରୀ ସହାୟତାରେ ମାଛ ଚାଷ ଆରମ୍ଭ କରିଛନ୍ତି ଉମରକୋଟ ବ୍ଲକ ବଡକୁମାରୀ ଗାଁର ସୁଜିତ ଦାସ । ନିଜ ଜମିରେ ପୋଖରୀ କରି ସେହି ପୋଖରୀରେ ମାଛ ଚାଷ କରିଛନ୍ତି । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ମାଛ ଯାଆଁଳା ଗତ କିଛି ମାସ ପୂର୍ବେ ପୋଖରୀରେ ଛାଡି ଥିଲେ । ବର୍ତ୍ତମାନ ସେହି ମାଛ ବଡ଼ ହୋଇ ବିକ୍ରି ଉପଯୋଗୀ ହେବା ପରେ ତାହାକୁ ସ୍ଥାନୀୟ ବଜାରରେ ବିକ୍ରି ଆରମ୍ଭ କରିଛନ୍ତି ।

ଏହି ମାଛକୁ ପୋଖରୀରୁ ଧରିବା ପରେ ସତେଜ ଜୀବନ୍ତ ମାଛକୁ ପଲିଥିନରେ ଭର୍ତି କରି ତାକୁ ଜୀବନ୍ତ ରଖିବା ପାଇଁ ସେଥିରେ ଅକ୍ସୀଜେନ ଭର୍ତି କରି ବଜାରକୁ ବିକ୍ରି ପାଇଁ ପଠାଯାଉଛି । ଏହାସହ ଯଦି କେହି ମାଛର ଅର୍ଡର ଦିଅନ୍ତି ତେବେ ପଲିଥିନରେ ଭର୍ତି କରି ଅକ୍ସୀଜେନ ଦିଆଯାଇ ଘରକୁ ମଧ୍ୟ ପଠାଯାଉଛି ।

ସୁଜିତଙ୍କୁ ଯଦି ସରକାରୀ ସହାୟତା ଓ ପ୍ରଛାହନ ମିଳିବ ତେବେ ଉମରକୋଟ ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ ମାନଙ୍କର ବଜାରରେ ଲୋକେ ଜୀବନ୍ତ ମାଛ ପାଇ ପାରିଥାନ୍ତେ । ଅନ୍ୟପଟେ ଖବର ପାଇ ଆଖପାଖ ଗ୍ରାମରେ ଥିବା ଲୋକେ ସୁଜିତଙ୍କ ନିଜ ଜମିରେ ଜୀବନ୍ତ ମାଛ ବିକ୍ରି ହେଉଥିବା ଖବର ପ୍ରକାଶ ହେବାପରେ ବର୍ତ୍ତମାନ ଜୀବନ୍ତ ମାଛ ନେବା ପାଇଁ ଗ୍ରାହକ ଙ୍କ ଭିଡ଼ ଜମିବାରେ ଲାଗିଛି ।