କରୋନା ବିରୋଧୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-ଡିସିଜିଆଇ

416

କନକ ବ୍ୟୁରୋ : କରୋନା ବିରୋଧୀ ଆଉଏକ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଗତ ଗୁରୁବାର ଏହି ଔଷଧର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ- ଡିସିଜିଆଇ । ରୁକି ଓ ରିଜେନେରନ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି କୋଭିଡ୍ ବିରୋଧୀ କକଟେଲ । ଏଥିରେ ଦୁଇଟି ଆଂଟିବଡି ଔଷଧ କାସିରିଭିମାଭ ଓ ଇମଡେଭିମାଭ ରହିଛି । କୃତ୍ରିମ ଉପାୟରେ ଏହି ଆଂଟିବଡିକୁ ପ୍ରସ୍ତୁତ କରାଯାଇଛି । ଯାହା କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାପରେ ଆକ୍ରାନ୍ତଙ୍କ ଶରୀରରେ ସୃଷ୍ଟି ହୁଏ ।

ଗତବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ଏବଂ ସେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇପାରିଥିଲେ । କୁହାଯାଉଛି ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖା ଯାଉଥିବା କରୋନା ଆକ୍ରାନ୍ତଙ୍କୁ ଏହି ଔଷଧର ପ୍ରୟୋଗ କରି ଗୁରୁତର ହେବାରୁ ରକ୍ଷା କରାଯାଇପାରେ । ବିଶେଷଜ୍ଞଙ୍କ ମତରେ ୧୨ ବର୍ଷରୁ ଅଧିକ ଏବଂ ୪୦ କିଲୋରୁ ଅଧିକ ଓଜନର ବ୍ୟକ୍ତିଙ୍କଠାରେ କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିଲେ ଏହି ଦୁଇଟି ଔଷଧରେ ଚିକିତ୍ସା କରାଯାଇ ପାରିବ । ପ୍ରତ୍ୟେକ ଔଷଧର ୬ଶହ ମିଲିଗ୍ରାମ ଲେଖାଏଁ ଇଂଜେକ୍ସନ ଜରିଆରେ ଦିଆଯିବ । ତେବେ ଚିକିତ୍ସା କରୁଥିବା ଡାକ୍ତର ହିଁ ଏହାର ପ୍ରୟୋଗ ଓ ମାତ୍ରା ସ୍ଥିର କରିବେ ।