ପୁଣିଥରେ ବିଜେଡିକୁ ଖୋଲା ଆହ୍ୱାନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୪୮ ଘଣ୍ଟା ପରେ ବି କାହିଁକି ଆସିଲାନି ଆହ୍ୱାନର ଉତର କଲେ ପ୍ରଶ୍ନ…

268

କନକ ବ୍ୟୁରୋ : ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ କାମକୁ ବିରୋଧ କରୁଥିବା ନେଇ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଖୋଲା ଆହ୍ୱାନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, ମୋର ୫ବର୍ଷର କାମ କଥା ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ପ୍ରକଳ୍ପ କାର୍ଯ୍ୟ ବିରୋଧରେ ପ୍ରସଙ୍ଗ ଉଠୁଛି । ଯଦି ମୁଁ ଲିଙ୍ଗରାଜ ମନ୍ଦିର କାମକୁ କେଉଁଠି ବି ବିରୋଧ କରିଛି ତାହେଲେ ପ୍ରମାଣ ଦିଅନ୍ତୁ । ୪୮ ଘଣ୍ଟା ହୋଇଗଲାଣି ପ୍ରମାଣ ଦେଲେ ନାହିଁ । ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏପରି ମିଛି କହିବା କଥା ନୁହେଁ । ମୋ କଥା ଏତେ ଚିନ୍ତା କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

୨୪ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ ୱାନ୍ ଟାଇମ୍ ସାଂସଦ, ମାତ୍ର ୫ବର୍ଷ ପାଇଁ ଭୁବନେଶ୍ୱରର ସାଂସଦ ଭାବେ ନିର୍ବାଚିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋ ନାଁ ନେଇ ଟିପ୍ପଣୀ କରିଛନ୍ତି । ଏହା ମୋ ପାଇଁ ଖୁସିର କଥା । କିନ୍ତୁ ସବୁଠୁ ଦୁଖଃର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସ୍କ୍ରିପ୍ଟ ଦିଆଗଲା ସେ କହିଦେଲେ । ଜାଣିପାରିଲେ ନାହିଁ କ’ଣ ପଢୁଛନ୍ତି । ଏହା ଶୁଣି ମୁଁ ମର୍ମାହତ ।

ବିଗତ ୫ବର୍ଷ ମଧ୍ୟରେ ଅହରହ ପରିଶ୍ରମ କରିଛି । ସମସ୍ତଙ୍କୁ ନେଇକି ଚାଲିଛି । ୨୪ଘଣ୍ଟା ମୋ କାର୍ଯ୍ୟାଳୟରେ କାମ କରିଛି । ଗାଁଠୁ ସହର ସବୁଠି ପରିଦର୍ଶନ କରି ସମସ୍ୟା ବୁଝିଛି । ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟକୁ ପଢିନାହାନ୍ତି । ୫ବର୍ଷରେ ମୋର ୫ଟି ରିପୋର୍ଟ ପବ୍ଲିକ୍ ଡୋମେନରେ ଅଛି । ଯିଏ ଚାହିଁବେ ଦେଖିପାରିବେ । ବିଗତ ୫ବର୍ଷ ମଧ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯାହା ବି ବିକାଶ କରିଛି ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିତର୍କ କରିବା ପାଇଁ ନିବେଦନ କରିଛି । କିନ୍ତୁ ୪୮ଘଣ୍ଟା ବିତିଗଲାଣି କୌଣସି ଉତ୍ତର ମିଳିଲାନି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଅନେକ ସମ୍ମାନ ରହିଛି । କିନ୍ତୁ ମୁଁ ମର୍ମାହତ କି ସ୍କ୍ରିପ୍ଟ ପଢିବା ପୂର୍ବରୁ ଥରେ ବୁଝିନେଇଥିଲେ ଭଲ ହୋଇଥାନ୍ତା