ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ରେକର୍ଡ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ 

347
କନକ ବ୍ୟୁରୋ : ଦେଶରେ ବେକାବୁ ହେଉଛି କରୋନାର ସ୍ଥିତି । ଦୃତ ବେଗରେ ବଢ଼ୁଛି କରୋନା ସଂକ୍ରମଣ । ଦିନ ଦିନକୁ ଦୈନିକ ସଂକ୍ରମଣ ସଂଖ୍ୟା ନୂଆଁ ନୂଆଁ ରେକର୍ଡ଼ କରୁଛି । ୫ ମାସ ପରେ ଦିନକରେ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ୨୪ ଘଂଟାରେ କରୋନାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ଏହା ପଛକୁ ଆମେରିକାରେ ଦୈନିକ ୭୦ ହଜାର ଓ ବ୍ରାଜିଲରେ ୬୯ ହଜାର ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । କରୋନାରେ ଦ୍ୱିତୀୟ ଲହରୀ ଦୈନିକ ସଂକ୍ରମଣ ୨୦ ହଜାରରୁ ୮୦ ହଜାରରେ ପହଂଚିବାକୁ ମାତ୍ର ୨୦ ଦିନ ସମୟ ଲାଗୁଛି । ଗତବର୍ଷ ଅର୍ଥାତ କରୋନାର ପ୍ରଥମ ଲହରର ସଂକ୍ରମଣ ୯୩ ହଜାର ଛୁଇଁବାକୁ ୬୪ ଦିନ ଲାଗିଥିଲା । ଦେଶରେ ଗତବର୍ଷ ୧୬ ଡିସେମ୍ବରରେ ଦୈନିକ ସଂକ୍ରମଣ ୯୭ ହଜାର ୮୬୦ ଚିହ୍ନଟ ହୋଇଥିଲା । ଯାହାକି ସର୍ବାଧିକ ଥିଲା । ସେପଟେ ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଦିନକୁ ଦୁନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯଦି ଲୋକ ଏନେଇ ସଚେତନ ନହୁଅନ୍ତି କିମ୍ବା ରାଜ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ନନିଅନ୍ତି ତାହେଲେ ଆଗକୁ ମହାରାଷ୍ଟ୍ରରେ କରୋନା ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଂକା କରାଯାଉଛି