୩୭ ବର୍ଷ ପୂର୍ବେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । ବିଶ୍ୱର ବଡ଼ ବଡ଼ ଦେଶକୁ ମାତ୍ ଦେଇ ବିଶ୍ୱବିଜେତା ବନିଥିଲା ଟିମ୍ ଇଣ୍ଡିଆ, ଜିତିଥିଲା ୧୯୮୩ କ୍ରିକେଟ୍ ବିଶ୍ୱକପ୍ ।

707

କନକ ବ୍ୟୁରୋ : ଜୁନ୍ ୨୫ ତାରିଖ । ଯେବେଯେବେ ଏହି ତାରିଖ ଆସେ, ପ୍ରତିଟି ଭାରତୀୟଙ୍କ ମନ ଗର୍ବରେ ଭରିଉଠେ । କାରଣ ବିଶ୍ୱର ବଡ଼ ବଡ଼ ଦେଶକୁ ପଛରେ ପକାଇ ଆଜିର ଦିନରେ ବିଶ୍ୱବିଜେତା ବନିଥିଲା ଭାରତ । ୧୯୮୩ ମସିହା ଜୁନ୍ ୨୫ ତାରିଖରେ ବିଶ୍ୱ କ୍ରିକେଟର ଭାରତ ଲେଖିଥିଲା ସ୍ୱର୍ଣ୍ଣିମ ଅଧ୍ୟାୟ ।

୩୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା । ୧୯୮୩ ମସିହାର ଆଜିର ଦିନରେ କପିଳ ଦେବଙ୍କ ନେତୃତ୍ୱରେ ଏକ ଯୁବ ଭାରତୀୟ କ୍ରିକେଟ ଦଳ ସେତେବେଳର ବିଶ୍ୱ ବିଜୟୀ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ ଜିତିଥିଲା । ଏହା ସହିତ ବିଶ୍ୱ କ୍ରିକେଟରେ ଭାରତୀୟ ଦଳ ନିଜ ଉପସ୍ଥିତି ଜାହିର କରିଥିଲା । ଅଶୀ ଓ ନବେ ଦଶକର ଯୁବପୀଢିଙ୍କୁ ଏହି ବିଶ୍ୱକପ ବିଜୟ ହିଁ କ୍ରିକେଟ ବ୍ୟାଟ ଧରିବାକୁ ଅନୁପ୍ରାଣିତ କରିଥିଲା ।

୧୯୮୩ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳ ଥିଲା ଏକ ଅପରିଚିତ ତଥା ଦୁର୍ବଳ ଦଳ । ସାମନାରେ ଥିଲେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଇଂଲାଣ୍ଡ ପରି ଶକ୍ତିଶାଳୀ ଦଳ । ବିଶେଷକରି ପୂର୍ବରୁ ଦୁଇଥର ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳକୁ ହରାଇବା କେହି ସ୍ୱପ୍ନରେ ଭାବିପାରୁନଥିଲେ । ଏହି ଦଳରେ ଥିଲେ ଭିଭିଆନ ରିଚାର୍ଡ୍ସ, କ୍ଲାଇବ ଲୟଡ, ଡେସମଣ୍ଡ ହେନ୍ସ, ଗ୍ରଡନ ଗ୍ରିନିଜଙ୍କ ପରି ବ୍ୟାଟ୍ସମ୍ୟାନ ଓ ମାଲକମ ମାର୍ସାଲ, ଆଣ୍ଡି ରବର୍ଟ୍ସ, ଜୋଏଲ ଗାର୍ନର ଓ ମାଇକେଲ ହୋଲଡିଂଙ୍କ ପରି ଛାତିଥରା ଦ୍ରୁତ ବୋଲର ।

ଏମାନଙ୍କ ମୁକାବିଲାରେ କପିଳଙ୍କ ନେତୃତ୍ୱରେ ଥିବା ଯୁବ ଭାରତୀୟ ଦଳ ଟିକିଏ ଅନଭିଜ୍ଞ ଥିଲେ ମଧ୍ୟ ଉତ୍ସାହ କମ ନଥିଲା । ଏହି ଉତ୍ସାହ ବଳରେ ହିଁ ଭାରତୀୟ ଦଳ ଐତିହାସିକ ଲର୍ଡ୍ସଠାରେ ଅନୁଷ୍ଠିତ ଫାଇନାଲରେ ୱେଷ୍ଟଇଣ୍ଡିଜ ପରି ଦଳକୁ ହରାଇଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୮୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହା ଜବାବରେ ଇଣ୍ଡିଜ ମାତ୍ର ୧୪୦ରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ସହ ବିଶ୍ୱ କ୍ରିକେଟରେ ଭାରତର ଯୁଗ ଆରମ୍ଭ ହୋଇଥିଲା । ଏହାର ୨୮ ବର୍ଷ ପରେ ୨୦୧୧ରେ ଭାରତ ନିଜର ୨ୟ ବିଶ୍ୱକପ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ହାସଲ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.