ସୁରତରୁ ଭଦ୍ରକ ଫେରିବା ବାଟରେ ପ୍ରବାସୀଙ୍କ ହେଲା ପ୍ରସବ ବେଦନା । ନାଗପୁର ମୁମ୍ବାଇ ହାଇୱେରେ ଚାଲି ଆସିଲେ ସାଥୀ ଶ୍ରମିକ, ନବାଗତ ଶିଶୁକନ୍ୟା ସହ ୮ଦିନ ପରେ ଭଦ୍ରକ ଫେରିଲେ ଶ୍ରମିକ ଦମ୍ପତି ।

574

କନକ ବ୍ୟୁରୋ  : କରୋନା ବିରୋଧୀ ଲକଡାଉନ୍, ପ୍ରବାସୀ ଶ୍ରମିକଙ୍କ ଲାଗି ସବୁଠାରୁ ବେଶି ସମସ୍ୟା ସୃଷ୍ଟି କରିଛି । ସୁରତରୁ ଫେରିବା ବାଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଭଦ୍ରକର ଜଣେ ମହିଳା । ପ୍ରସବ ବେଦନା ହେବାପରେ ବାଟରେ ସେମାନଙ୍କୁ ଛାଡି ଆସିଥିଲେ ଅନ୍ୟମାନେ । ହସ୍ପିଟାଲ ଯାଇ ପିଲା ଜନ୍ମ ହେବାଠାରୁ ଆରମ୍ଭ କରି, ୮ ଦିନ ପରେ ଭଦ୍ରକ ଫେରି ଆସିବା ଯାଏଁ ବେଶ ସଂଘର୍ଷ କରିବାକୁ ପଡିଛି ଏମାନଙ୍କୁ । ଜମି ବନ୍ଧକ ରଖି ୨୮ ହଜାର ଟଙ୍କାରେ ଗାଡି ଭଡା କରି ଭଦ୍ରକରେ ପହଂଚିଛନ୍ତି ଏହି ପରିବାର ।

ମହାରାଷ୍ଟ୍ର ନମ୍ବର ଥାଇ ଭଦ୍ରକ ମେଡିକାଲ ସାମ୍ନାରେ ଲାଗିଥିବା ଗାଡି, ସାଙ୍ଗରେ ଏକ ରୋଚକ କାହାଣୀ ନେଇ ଆସିଛି । କାହଣୀ, ଜଣେ ଅସହାୟ ମାଆର । କାହଣୀ, ଭୋକ ବିକଳରେ ନିଜ ମା’ ମାଟିକୁ ଫେରିବାକୁ ବ୍ୟାକୁଳ ହେଉଥିବା ପ୍ରବାସୀ ଶ୍ରମିକଙ୍କର । ଏ ହେଉଛନ୍ତି ସେହି ଶ୍ରମିକ ଓ ତାଙ୍କ ପତ୍ନୀ । ଗୁଜରାଟ ସୁରତରୁ ଭଦ୍ରକ ଅଭିମୁଖେ ଗତ ୩ ତାରିଖରେ ବସରେ ବାହାରିଥିଲେ ଏମାନେ । ତାଲାବନ୍ଦ ଯୋଗୁଁ ଫସି ରହିଥିବା ପ୍ରବାସୀ ଶ୍ରମିକ ୭ଟି ବସରେ ଭଦ୍ରକ ଆସୁଥିଲେ । ହେଲେ ତିହିଡି କୁବେରା ଗାଁର ଶ୍ରମିକ ସୁଶାନ୍ତ ବେହେରାଙ୍କ ପତ୍ନୀ ଡଲି ବଳଙ୍କ ଅଧା ରାସ୍ତାରେ ଆରମ୍ଭ ହୋଇଗଲା ପ୍ରସବ ବେଦନା । ନାଗପୁର-ମୁମ୍ବାଇ ଜାତୀୟ ରାଜପଥରେ ତାଙ୍କୁ ଛାଡି ଚାଲିଆସିଥିଲେ ଅନ୍ୟମାନେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ କଷ୍ଟ ପରେ ସେମାନେ କାଲମେଶ୍ୱର ଖଣ୍ଡଗେରି ମେଡିକାଲରେ ପହଂଚିବା ପରେ ସେଠାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଡଲି । ଭଦ୍ରକ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଯୋଗେଯାଗ କରିଥିଲେ ମଧ୍ୟ ଏଥିରେ ସଫଳତା ମିଳିନଥିଲା । ଶେଷରେ ଗାଁର ଜଣେ ବ୍ୟାଙ୍କ କର୍ମଚାରୀ ଶ୍ରୀକାନ୍ତ ରାୟଙ୍କ ସହାୟତାରେ ଦୀର୍ଘ ୮ ଦିନ ପରେ ଏମାନେ ଭଦ୍ରକ ଫେରିବାକୁ ସମର୍ଥ ହୋଇଥିଲେ ।

ସୁରଟରୁ ନେଇ ଆସୁଥିବା ବସ ଅଧା ବାଟରେ ଛାଡିଦେବା ପରେ ଧାର ଉଧାର କରି ହସ୍ପିଟାଲରେ ପହଂଚିବା ସହ ଡେଲିଭରି ଖର୍ଚ୍ଚ ତୁଲାଇଥିଲେ ସୁଶାନ୍ତ । ପୁଣି ସେଠାରୁ ୨୮ ହଜାର ଟଙ୍କାରେ ଗାଡି ଭଡା କରି ପତ୍ନୀ ଓ ନବଜାତ ଶିଶୁ ସହ ଭଦ୍ରକରେ ପହଂଚିଛନ୍ତି । ଏଥିପାଇଁ ତାଙ୍କୁ ଜମି ବନ୍ଧା ରଖିବାକୁ ପଡିଥିବା ଜଣାପଡିଛି ।