କନକ ବ୍ୟୁରୋ: ବିଧାନସଭାର ତୃତୀୟ ଦିନରେ ବି ଗୃହରେ ହଙ୍ଗାମା ହୋଇଛି । ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାସଭାରେ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୂଲତବି ଆଲୋଚନା ହୋଇପାରିନି । ଆଉ ଗୃହ ନ ଚାଲିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଛନ୍ତି, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ସେଟିଂ ଯୋଗୁଁ କଂଗ୍ରେସ ପକ୍ଷରୁ ଆଜି ଭିନ୍ନ ଏକ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା । ଆଉ ଏହାକୁ କାଂଉଟର ବି କରିଛି କଂଗ୍ରେସ । ପ୍ରଶ୍ନ ଉଠୁଛି, ବିଧାନସଭାରେ ସେଟିଂ କରିଛି କିଏ?
ମୌସୁମୀ ଅଧିବେଶର ତୃତୀୟ ଦିନରେ ବି ବିଧାନସଭାରେ ହଟଗୋଳ ଦେଖିବାକୁ ମିଳିଛି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପ୍ରତିବାଦରେ, ହଙ୍ଗାମା କରିଛନ୍ତି ବିଜେପି ବିଧାୟକ । କଳାବ୍ୟାଚ୍ ପିନ୍ଧି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ଜଣାଇଛନ୍ତି । ବାଚସ୍ପତି ଜାଣିଶୁଣି ବିଜେପି ବିଧାୟକଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରି ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ । ବିଜେପି ବିଧାୟକଙ୍କୁ କାଉଁଟର କରିବାକୁ ଯାଇ ଶାସକ ଦଳର ବିଧାୟକମାନେ କେନ୍ଦ୍ର ଅବହେଳା ସହ ଏମଏସପି ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଆଉ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାସଭାରେ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୂଲତବି ଆଲୋଚନା ହୋଇପାରିନି ।
ବିଧାନସଭା ଚାଲିନପାରିବାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷ ଦେଇଛନ୍ତି । ବିଜେପି ବିଧାୟକ ଅଭିଯୋଗ ଆଣି କହିଛନ୍ତି, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ଏପରିକି ସର୍ବଦଳୀୟ ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ମଧ୍ୟ ଗୃହ କାର୍ଯ୍ୟ ଚଳାଇ ଦେଉ ନାହାନ୍ତି କଂଗ୍ରେସ ଓ ବିଜେଡି । ସେଟିଂ ଯୋଗୁଁ କଂଗ୍ରେସ ପକ୍ଷରୁ ଆଜି ଭିନ୍ନ ଏକ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା । ପାଲଟା ଅଭିଯୋଗ ଆଣି କଂଗ୍ରେସ ବିଧାୟକ କହିଛନ୍ତି, ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପି ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ଯେଉଁ ପ୍ରସଙ୍ଗରେ ହେଉନା କାହିଁକି କଂଗ୍ରେସ ଆଲୋଚନା ଚାହୁଁଛି । କିନ୍ତୁ ବିଜେପି ଓ ବିଜେଡି ହଟ୍ଟଗୋଳ, ନାରାବାଜି କରି ଗୃହ ଚଳାଇ ଦେଉ ନାହାନ୍ତି । ତେବେ ଶାସକ ଦଳ ବିଧାୟକ କହିଛନ୍ତି, ବିରୋଧୀ ଦଳ ବିଜେପି ହଟ୍ଟଗୋଳ କରି ଗୃହକାର୍ଯ୍ୟରେ ବାଧା ଦେଉଛି ।
ତେବେ ଗୃହ ଚାଲି ନପାରିବାରୁ, ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପୂର୍ବରୁ କାହିଁକି ଜଣାଯାଇନଥିଲା ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ନେଇଛନ୍ତି । ତାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆଉ ବୈଠକ ପରେ ଅପରାହ୍ୱନରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ପୌର ବିଧି ସଂଶୋଧନ ବିଲ୍ ଆଗତ ହୋଇଥିଲା । ତେବେ, କହିବାକୁ ସୁଯୋଗ ଦିଆନଯିବା ଅଭିଯୋଗ ଆଣି କଂଗ୍ରେସ ବିଧାୟକମାନେ ଗୃହ ତ୍ୟାଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି,
- ସେଟିଂ କରିଛି କିଏ?
- ବିଜେଡି- କଂଗ୍ରେସ ନା ବିଜେପି-ବିଜେଡି ଭିତରେ ହୋଇଛି ଭିତିରି ବୁଝାମଣା?
- କାହିଁକି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଓ ପ୍ରଶ୍ନକୁ ଅଗ୍ରାହ୍ୟ କରୁଛନ୍ତି ବାଚସ୍ପତି?