ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ କମାଣ । ରାହୁଲ ରାଜି ନହେଲେ ପ୍ରିୟଙ୍କା ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ରାଜସ୍ଥାନ ଉଦୟପୁର ଚିନ୍ତନ ସମାବେଶରେ ପ୍ରସ୍ତାବ

125

ରାଜସ୍ଥାନର ଉଦୟପୁରରେ ଆଜି କଂଗ୍ରେସ ‘ଚିନ୍ତନ ଶିବିର’ର ଦ୍ବିତୀୟ ଦିନ କାର୍ଯ୍ୟକ୍ରମ ଥିଲା। ଏହି ଅବସରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦଳୀୟ ପଦବୀରେ ଏସ୍‌ସି ଏସ୍‌ଟି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ବ ବଢ଼ାଇବାପାଇଁ ଯୋଜନା ହୋଇଛି। ଅନୁଷ୍ଠାନର ସବୁ ସ୍ତରରେ ଏହି ସବୁ ବର୍ଗରୁ ପ୍ରତିନିଧିତ୍ବ ୫୦ ପ୍ରତିଶତକୁ ବଢ଼ିବ। କଂଗ୍ରେସ ନେତା କେ ରାଜୁ କଂଗ୍ରେସରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଦଳରେ ସାଂଗଠନିକ ସଂସ୍କାର ଅଣାଯିବ ବୋଲି ସେ କହିଛନ୍ତି। ଦୁର୍ବଳ ଶ୍ରେଣୀଙ୍କ ପାଇଁ ପ୍ରତି ୬ ମାସରେ ଥରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ସ୍ବତନ୍ତ୍ର ଅଧିବେଶନ କରାଯିବ। ଜାତୀୟ ସ୍ତରରେ କଂଗ୍ରେସ ଏକ ଜାତି ଭିତ୍ତିକ ଜନଗଣନା ଚାହେ। ଏସ୍‌ସି, ଏସଟି ଏବଂ ଓବିସିଙ୍କ ପାଇଁ ଘରୋଇ ସେକ୍ଟରରେ ସଂରକ୍ଷଣ ଏବଂ ମହିଳା ସଂରକ୍ଷଣ ବିଲ୍‌ରେ ଏସ୍‌ଟି ମହିଳାଙ୍କ ପାଇଁ ଆମେ ସ୍ବତନ୍ତ୍ର ପ୍ରାବଧାନ ଚାହୁ ବୋଲି କେ ରାଜୁ କହିଛନ୍ତି। ଆଜି ଚିନ୍ତନ ଶିବରରେ ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦଙ୍କ ସମେତ ଅନେକ ନେତା ପ୍ରିୟଙ୍କା ଗାନ୍ଧିଙ୍କୁ ଦଳର ପରବର୍ତ୍ତୀ ସଭାପତି କରାଯିବାକୁ ଦାବି କରିଛନ୍ତି। ଯଦି ରାହୁଲ ଗାନ୍ଧି ସଭାପତି ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେବେ ତା’ହେଲେ ପ୍ରିୟଙ୍କା ହିଁ ଏଥିପାଇଁ ସର୍ବାଧିକ ଯୋଗ୍ୟ ବୋଲି ସୋମନେ କହିଛନ୍ତି।

କଂଗ୍ରେସ ଚିନ୍ତନ ଶିବିରରେ ‘କଂଗ୍ରେସ ସଂସଦୀୟ ବୋର୍ଡ’ ଗଠନ ନେଇ ଅସନ୍ତୁଷ୍ଟ ନେତାଙ୍କର ଏକ ମୁଖ୍ୟ ଦାବିକୁ ଆଜି ଏକ ପରାମର୍ଶ ଭାବେ ଗ୍ରହଣ କରାଯାଇଛି। ଏହି ପରାମର୍ଶକୁ ଏବେ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି)ର ସ୍ବୀକୃତି ମିଳିବା ଆବଶ୍ୟକତା ରହିଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେଉଥିବା ସିଇସି (କଂଗ୍ରେସ ନିର୍ବାଚନ କମିଟି) ସ୍ଥାନରେ ଏହି ବୋର୍ଡ କାମ କରିବ। ତେବେ ଏହାକୁ ନେଇ ସହମତି ପ୍ରକାଶ ପାଇବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଛି।