କେରଳ ସରକାରଙ୍କ ନିର୍ଦ୍ଦେଶ, ଡଙ୍ଗାବୁଡି ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ: ଦୁର୍ଘଟଣାରେ ଏବେ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ

187

କନକ ବ୍ୟୁରୋ: କେହି କେବେ ଭାବିନଥିବେ ହଠାତ୍ ଖୁସିର ମୂହୂର୍ତରେ ଦୁଃଖର କଳାବାଦଲ ଘୋଟି ଆସିବ । ସ୍ତ୍ରୀ ପିଲା ଛୁଆଙ୍କୁ ସାଙ୍ଗରେ ନେଇ ନୌକାବିହାରରେ ଯାଇଥିବା ପର୍ଯ୍ୟଟକଙ୍କ ଏହି ଯାତ୍ରା ଶେଷଯାତ୍ରା ହେବ ସେକଥା ହୁଏତ ସେମାନେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । କେରଳର ମାଲ୍ଲାପୁରମ୍ ଜିଲ୍ଲା ତନୁର ନିକଟରେ ଘଟିଛି ବଡ ଦୁର୍ଘଟଣା । ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଯାତ୍ରୀଙ୍କୁ ନେଇ ବାହାରିଥିବା ବୋଟ ଦୁର୍ଘଟଣା ଶିକାର ହେବା ଯୋଗୁଁ ୨୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି ।

ରବିବାର ରାତିରୁ ଘଟଣାସ୍ଥଳରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଏନଡିଆରଏଫ ଟିମ୍, ଅଗ୍ନିଶମବାହୀନି, ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଦୁଃଖପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ଘଟଣାସ୍ଥଳ ଓ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ —
ନୌକାବିହାର ନେଇଗଲା ଜୀବନ
• ବୋଟ୍ର କ୍ଷମତା ୪୦ଜଣ ଯାତ୍ରୀ ଥିବାବେଳେ ଏହାଠୁ ବେଶ ଅଧିକ ଯାତ୍ରୀ ଥିଲେ
• ବୋଟ୍ରେ ପର୍ଯ୍ୟାପ୍ତ ସଂଖ୍ୟାର ଲାଇଫ ଜ୍ୟାକେଟ ନଥିଲା
• ବୋଟର ସୁରକ୍ଷା ପ୍ରମାଣପତ୍ର ନଥିଲା
• ସୂର୍ଯ୍ୟାସ୍ତ ପରେ ବୋଟ ଚଳାଚଳ ବାରଣସତ୍ତେ୍ୱ ଯାତ୍ରା କରାଯାଇଥିଲା ।

କେରଳ ବୋଟ ଦୁର୍ଘଟଣାେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କାରଣ ଖୋଜ । ଘଟଣାର ତଦନ୍ତ ପାଇଁ କେରଳ ସରକାରଙ୍କ ପକ୍ଷରୁ ଏକ କମିଟି ମଧ୍ୟ ଗଠନ ହୋଇଛି । ଦୁର୍ଘଟଣା ପାଇଁ ବୋଟ୍ ମାଲିକଙ୍କୁ ଦାୟୀ କରାଯାଇ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।