ମା’ଙ୍କ ପାଇଁ ଦିନଟିଏ : ଆଜି ବିଶ୍ୱ ପାଳୁଛି ମାତୃଦିବସ, ରେଡିଓ ଚକଲେଟ ୧୦୪ ଏଫ ଏମ ର ଭେଟି, ମନଛୁଆଁ ଗୀତ ବୋଉଲୋ

208

କନକ ବ୍ୟୁରୋ : କୁହାଯାଏ ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା’ । କାରଣ ମା’ ଶବ୍ଦର ଉଚ୍ଚାରଣ ମାତ୍ରକେ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ଏକ ନିଚ୍ଛକ ଅନୁଭବ ଭରିଯାଏ ହୃଦୟରେ । ସାମନାକୁ ଚାଲିଆସେ ଦୟା, କରୁଣା ଓ ଅନାବିଳ ପ୍ରେମରେ ଛଳଛଳ ଏକ ମୂର୍ତ୍ତିମନ୍ତ ଛବି । ମା’ ଶବ୍ଦଟି ଛୋଟ ହେଲେ ବି ଏହାର ଅର୍ଥ ବ୍ୟାପକ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପର ଭାବେ ସନ୍ତାନ ପ୍ରତି ଅଜାଡି ଦେଇପାରେ ଅଜସ୍ର ଭଲପାଇବା ସେ ହେଉଛି ମା’ ।

ନିଜେ ଯନ୍ତ୍ରଣା ସହି ଯିଏ ସନ୍ତାନର ସୁଖ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଦେଇପାରେ ସେ ହେଉଛି ମା’ । ସେଇଥି ପାଇଁ ତ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି । ସ୍ୱର୍ଗଠାରୁ ବଡ ସେହି ମମତାମୟୀ ପ୍ରେରଣାମୟୀ ମା’ ପାଇଁ ଉତ୍ସର୍ଗ ଆଜିର ଦିନଟି । ଆଜି ସାରା ବିଶ୍ୱ ପାଳୁଛି ମାତୃଦିବସ । କୁହାଯାଏ ୱେଷ୍ଟ ଭର୍ଜିନିଆରେ ପ୍ରଥମେ ମା’ ପାଇଁ ଉତ୍ସର୍ଗ କରି ଏହାକୁ ଏକ ଛୁଟିଦିନ ଭାବେ ପାଳନ କରିଥିଲେ । ଆଉ ଧିରେ ଧିରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇଯାଇଥିଲା ଏହି ମଦର୍ସ ଡେ’ ବା ମାତୃଦିବସ ।