ଦୁର୍ଗାପୂଜାର ଶେଷ ଦିନରେ ବଙ୍ଗୀୟ ପରମ୍ପରାରେ ହେଲା ସିନ୍ଦୂର ଖେଳ । ସଧବା ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ମାଆଙ୍କୁ ଦେଲେ ବିଦାୟ ।

126

କନକ ବ୍ୟୁରୋ: ନବରାତ୍ରୀର ଶେଷ ଦିନ ବିଜୟାଦଶମୀରେ ମାଆ ଦୁର୍ଗାଙ୍କ ନିକଟରେ ହୋଇଛି ସିନ୍ଦୂର ଖେଳ । ତେବେ ଇଏ ଏମିତି ଏକ ଖେଳ ଯାହା ଦଶହରା ଉତ୍ସବକୁ ଆହୁରି ସୁନ୍ଦର କରିଥାଏ, ଆକର୍ଷଣୀୟ କରିଥାଏ । ବିବାହିତ ଝିଅ ବାପ ଘରୁ ଯେମିତି ବିଦା ହୋଇଥାନ୍ତି, ସେମିତି ମାଆଙ୍କୁ ବିଦାୟ ଦେଇଥାନ୍ତି ଶ୍ରଦ୍ଧାଳୁ । ମାଆଙ୍କ ପାଦରେ ସିନ୍ଦୂର ଲଗାଇବା ପରେ ସଧବା ମହିଳାମାନେ ପରସ୍ପର ପରସ୍ପରକୁ ସିନ୍ଦୂର ଲଗାଇ ଉତ୍ସବ ମନାଇଥାନ୍ତି ।

ଝିଅକୁ ବିଦା କରିବା ସମୟରେ ଯେମିତି ବାପା, ମା ସମେତ ସମ୍ପର୍କୀୟମାନେ ଦୁଃଖୀ ହୋଇଥାନ୍ତି, ତା ଭିତରେ ଉତ୍ସବ ମନାଇଥାନ୍ତି, ପୁଣି ଫେରି ଆସିବାର ଶୁଭ ମନାସିଥାନ୍ତି । ଠିକ୍ ସେମିତି ଏ ବର୍ଷ ବିଦାୟ ନେଉଥିଲେ ବି ଆସନ୍ତାବର୍ଷ ଠିକ୍ ଏହି ସମୟକୁ ମାଆ ଫେରି ଆସନ୍ତୁ ବୋଲି କାମନା କରିଥାନ୍ତି ଶ୍ରଦ୍ଧାଳୁ ।

ବଙ୍ଗୀୟ ପରମ୍ପରା ଅନୁସାରେ ମା ଦୁର୍ଗାଙ୍କ ନବମୀ ପୂଜା ପର ଦିନ, ଅର୍ଥାତ ବିଜୟାଦଶମୀରେ ମାଙ୍କ ବିସର୍ଜନ ପରେ, ବିଦାୟ ଦେବା ପୂର୍ବରୁ ସିନ୍ଦୂର ଖେଳ ପାଳନ ହୋଇଥାଏ । ହେଲେ, ଏହି ବଙ୍ଗୀୟ ପରମ୍ପରାର ସିନ୍ଦୁର ଖେଳ, ଏବେ ଓଡିଶାର ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି । ବିଶେଷ କରି ବଙ୍ଗୀୟ ସମ୍ପଦ୍ରାୟର ଲୋକ ରହୁଥିବା ମାଲକାନଗିରି, କଟକ, ଯାଜପୁର, ବାଲେଶ୍ୱର, ଭୁବନେଶ୍ୱରର, ଓ ରାଉରକେଲାର ବିଭିନ୍ନ ମଣ୍ଡପରେ ଦେଖିବାକୁ ମିଳିଛି । ଆଉ ସିନ୍ଦୂର ଖେଳି ମାଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ ।

ମାଆଙ୍କୁ ବିଦାୟ ଦେବା ସମୟରେ ସିନ୍ଦୂର ଖେଳ ଖେଳିବା, ସଧବା ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇବା, ପ୍ରାୟ ୪ଶହ ବର୍ଷର ପୁରୁଣା ବଙ୍ଗୀୟ ପରମ୍ପରା ବୋଲି କୁହାଯାଏ । ବିଶ୍ୱାସ ରହିଛି, ଯେଉଁ ମହିଳା ପରମ୍ପରା ଅନୁସାରେ ସିନ୍ଦୂର ଖେଳିଥାନ୍ତି, ସେମାନେ କେବେ ବିଧବା ହୋଇନଥାନ୍ତି । ପରିବାରକୁ ସବୁ ଦୁଃଖ କଷ୍ଟରୁ ରକ୍ଷା କରିବା ପାଇଁ ଶକ୍ତି ମିଳିଥାଏ । ପଡୋଶୀ ପଡୋଶୀ ଭିତରେ ଥିବା ବିବାଦ ଓ କଳି ଝଗଡାକୁ ସମାଧାନ କରିବାରେ ସହାୟକ ହୋଇଥାଏ ।

ପୂରାଣ ଅନୁସାରେ, ଦେବୀ ଦୁର୍ଗା ବିଜୟାଦଶମୀରେ ପୁଣି ଥରେ ଧରାପୃଷ୍ଟ ଛାଡି, କୈଳାସ ପର୍ବତକୁ ଭଗବାନ ଶିବ ଅର୍ଥାତ ତାଙ୍କ ସ୍ୱାମୀଙ୍କ ପାଖକୁ ଚାଲି ଯାଇଥାନ୍ତି । ଠିକ୍ ଯେମିତି ଜଣେ ବିବାହିତ ଝିଅ ତାର ବାପ ଘର ଛାଡି ଶାଶୁ ଘରକୁ ଚାଲିଯାଇଥାଏ, ଠିକ୍ ସେମିତି ମା ଦୁର୍ଗା ଚାଲି ଯାଇଥାନ୍ତି । ଆଉ ଝିଅ ଭଳି ମାଆଙ୍କ ଫେରି ଆସିବା କାମନା କରି ତାଙ୍କୁ ସିନ୍ଦୁର ଲଗାଇବା ପରେ ନିଜେ ଖେଳି ବିଦାୟ ଦେଇଥାନ୍ତି ।