ସଂସଦ ଅଧିବେଶନର ପ୍ରଥମ ଦିନରେ ୩୦ ସାଂସଦ ଏବଂ ୫୦ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ । ମୁହଁରେ ମାସ୍କ, ଆଗରେ ଲାଗିଲା ପ୍ଲାଷ୍ଟିକ୍ ସିଲ୍ଡ : ସାମାଜିକ ଦୂରତା ପାଇଁ ଦର୍ଶକ ଗ୍ୟାଲେରୀରେ ବି ବସିଲେ ସାଂସଦ

114

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ମହାମାରୀ ଯୋଗୁଁ ବେଶ ସତର୍କତା ସହ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ସାଂସଦ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରଥମ ଦିନରେ ୩୦ ଜଣ ସାଂସଦ ଓ ପ୍ରାୟ ୫୦ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି ।

ମହାମାରୀକୁ ଦୃଷ୍ଟିରେ ରଖି ସଦନରେ ସାମାଜିକ ଦୂରତା ରଖି ବସିଥିଲେ ସାଂସଦ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ ଏବଂ ଆଗରେ ରହିଥିଲା ପ୍ଲାଷ୍ଟିକ୍ ସିଲ୍ଡ । ଏଥର ଅଧିବେଶନରେ ପ୍ରଶ୍ନକାଳ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ବିରୋଧୀ । ମୌସୁମୀ ଅଧିବେଶନରେ ୨୩ଟି ନୂଆ ବିଲ୍ ଓ ୧୧ଟି ଅଧ୍ୟାଦେଶକୁ ଆଇନ୍ରେ ପରିଣତ କରିବାକୁ ବିଲ୍ ଆଗତ ହେବା କାର୍ଯ୍ୟକ୍ରମ ରହିଛି । ସକାଳ ବେଳା ରାଜ୍ୟସଭା ଓ ଅପରାହ୍ନରେ ଲୋକସଭା ବସିବ । ୪ ଘଂଟା ଲେଖାଁ ଚାଲିବ ଉଭୟ ଗୃହ ।

କରୋନା ମହାମାରୀ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଯୋଗ ଦେଇଛନ୍ତି ୩୫୯ ଲୋକସଭା ସାଂସଦ । ମହାମାରୀ ଭୟ ଯୋଗୁଁ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଇଥିଲା । ସାଂସଦମାନେ ପରସ୍ପରଠାରୁ ଦୂରତା ବଜାୟ ରଖି ବସିଥିଲେ । ଭିଜିଟର ଗ୍ୟାଲେରୀରେ ବି ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ଓ ଅନ୍ୟାନ୍ୟ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି । ସମସ୍ତ ସାଂସଦ ମାସ୍କ ପିନ୍ଧିଥିବା ବେଳେ ସମସ୍ତଙ୍କ ଆଗରେ ରହିଛି ପ୍ଲାଷ୍ଟିକ୍ ସିଲ୍ଡ ।

ଯେଉଁ ବେଂଚରେ ୬ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା ରହିଛି, ସେଠାରେ ମାତ୍ର ୩ ଜଣ ବସିବା ପାଇଁ ଯୋଜନା କରାଯାଇଛି । ମହାମାରୀ କିପରି ବ୍ୟାପିବ ନାହିଁ, ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଦୁଇ ଦିନ ଧରି ସାଂସଦ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ସାଂସଦ ମୀନାକ୍ଷି ଲେଖୀ, ଅନନ୍ତ କୁମାର ହେଗଡେ ଓ ପ୍ରବେଶ ସାହିବ ସିଂଙ୍କ ସମେତ ଉଭୟ ସଦନର ପ୍ରାୟ ୨୫ ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ମୌସୁମୀ ଅଧିବେଶନରେ ୨୩ଟି ନୂଆ ବିଲ୍ ଓ ୧୧ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବିଲ୍ ଆଗତ ହେବା କାର୍ଯ୍ୟକ୍ରମ ରହିଛି । ନ୍ୟାସନାଲ କମିସନ ଫର୍ ହୋମିଓପାଥି ବିଲ୍ ଓ ନ୍ୟାସନାଲ କମିସନ୍ ଫର୍ ଇଣ୍ଡିଆନ୍ ସିଷ୍ଟମ ଫର୍ ମେଡିସିନ୍ ବିଲ୍ ପ୍ରଥମ ଦିନରେ ଲୋକସଭାରେ ପାରିତ ହୋଇଛି । ସେହିପରି ୨ ଲକ୍ଷ ୩୫ ହଜାର କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବିକୁ ସଂସଦର ଅନୁମୋଦନ ପାଇଁ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିବେଶନ ଆରମ୍ଭ ପୂର୍ବରୁ ସୀମା ବିବାଦ ନେଇ ଚୀନକୁ କଡ଼ା ସଂଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଥମ ଦିନରେ ଉଭୟ ସଦନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସମେତ ଦିବ୍ୟଗତ ସଂଦସ୍ୟଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି । ପ୍ରଥମ ଦିନ ସକାଳ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ଲୋକସଭା ଓ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ବସିଛି । ତେବେ ଦ୍ୱିତୀୟ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ସକାଳେ ରାଜ୍ୟସଭା ଓ ଅପରାହ୍ନରେ ଲୋକସଭା, ଏହିପରି ୪ ଘଂଟା ଲେଖାଏଁ ଚାଲିବ ଉଭୟ ସଦନ । ୧୮ ଦିନ ଧରି ବିନା ଛୁଟିରେ ଚାଲିବ ମୌସୁମୀ ଅଧିବେଶନ ।