କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ । ପ୍ରଥମ ଦିନର ୩୧୫ଟି ଜୋନରେ ଗଣତି ହୋଇଛି । ଶେଷ ଖବର ଯାଏ, ବିଜେଡି ୨୭୭ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବାବେଳେ ବିଜେପି ୧୯ଟିରେ ଆଗୁଆ ରହିଛି, କଂଗ୍ରେସ ୧୪ଟିରେ ଆଗୁଆ ରହିଛି ଏବଂ ଅନ୍ୟ ପ୍ରାର୍ଥୀମାନେ ୫ଟି ଜୋନରେ ଆଗରେ ରହିଛନ୍ତି ।
ପ୍ରଥମ ଦିନ ଗଣତି ସୁଦ୍ଧା ପ୍ରାୟ ୧୬ଟି ଜିଲ୍ଲାରେ ବିଜେପି ଖାତା ଖୋଲି ନଥିବାବେଳେ ୨୨ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି ।
ନଜର ପକାନ୍ତୁ, ୨୦୧୭ ପଞ୍ଚାୟତ ଫଳାଫଳ ଉପରେ.......
- ବିଜେଡି - ୪୭୬
- ବିଜେପି - ୨୯୭
- କଂଗ୍ରେସ - ୬୦
୪୭୬ ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ କରିଥିବା ବେଳେ ୨୯୭ ଜୋନ୍ରେ ବିଜେପି ବିଜୟ ଲାଭ କରିଥିଲା । କଂଗ୍ରେସକୁ ମିଳିଥିଲା ୬୦ ଜିଲ୍ଲା ପରିଷଦ ଜୋନ୍ । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ଭିନ୍ନ ଏକ ରାଜନୈତିକ ସମୀକରଣ ଆଡକୁ ଇଙ୍ଗିତ କରିଥିଲା । କିନ୍ତୁ ୨୦୨୨ରେ ସ୍ଥିତି ବଦଳି ଯାଇଛି । ପ୍ରଥମ ଦିନ ଗଣତିରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଆଡକୁ ଢଳିଛି । ତେବେ ବଡ଼ କଥା ହେଉଛି ୧୮ଟି ଜିଲ୍ଲାରେ ଖାତା ଖୋଲିପାରିନି ବିଜେପି । ଅବଶ୍ୟ ପ୍ରଥମ ଦିନରେ ୩୦ ଜିଲ୍ଲାର ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହେଉଛି । ଦ୍ୱିତୀୟ ଓ ତୃତୀୟ ଦିନରେ ୫୩୬ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ ହେବ । ଏହି ଦୁଇ ଦିନରେ ଫଳାଫଳ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ପ୍ରଥମ ଦିନର ଗଣତି କହୁଛି, ଶାସକ ଦଳକୁ ଏକତରଫା ଭାବେ ଭୋଟ ଦେଇଛନ୍ତି ଗାଁ ଲୋକ । ସବୁଠୁ ବଡ଼ କଥା ହେଉଛି ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ଓଡ଼ିଶାରୁ ସେହି ଏକା ଚିତ୍ର ଆସୁଛି । ଯେଉଁଠି ପୂର୍ବରୁ ବିଜେପିର ପ୍ରଭାବ ରହିଥିଲା, ସେଠାରେ ମଧ୍ୟ ଏଥର ବହିଛି ବିଜେଡି ହାୱା । ରାଜନୀତିରେ ସମୀକରଣ କେବେ ବି ସ୍ଥିର ରହେନାହିଁ । କିନ୍ତୁ ଜନମତକୁ ପ୍ରଭାବିତ କରିବାରେ ଫେଲ ମାରିଛନ୍ତି ବିରୋଧୀ ଦଳ । ବିଜେଡି ୨୨ ବର୍ଷ ଧରି ସରକାରରେ ରହିଥିଲେ ବି କାମ କରିନାହିଁ ସରକାର ବିରୋଧୀ ହାୱା । ୨୦୧୯ ନିର୍ବାଚନ ପରେ ପଞ୍ଚାୟତ ଭୋଟ୍, ରାଜ୍ୟର ସବୁଠୁ ବଡ଼ ନିର୍ବାଚନ । ଶାସକ ଦଳର ପ୍ରଭାବ କମିଛି କି ବଢ଼ିଛି, ସରକାରଙ୍କ ଦୋଷତ୍ରୁଟିକୁ ବିରୋଧୀ ଦଳ ଲୋକଙ୍କ ନିକଟକୁ ନେବାରେ ସଫଳ ହୋଇଛନ୍ତି କି ନାହିଁ, ତା’ର ମାପକାଠି ହେଉଛି ଏହି ନିର୍ବାଚନ ।