ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବାୟୁସେନା । ହିଣ୍ଡେନ ଏୟାରବେସରେ ରାଫେଲ, ତେଜସ-ଜାଗୁଆର ସହ ସୁଖୋଇ ଦେଖାଇଲା ଦମ୍ । ଶତ୍ରୁକୁ ସାବଧାନ କଲେ ବାୟୁସେନା ମୁଖ୍ୟ । ଭିଡିଓ ଟ୍ୱିଟ କରି ମୋଦି ଦେଲେ ଶୁଭେଚ୍ଛା ।

139

କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଳନ କରିଛି ୮୮ତମ ପ୍ରତିଷ୍ଠାଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡେନ୍ ଏୟାରବେସରେ ଭବ୍ୟ ପରେଡ୍ ସହିତ ଆକାଶରେ ବିମାନ ଗୁଡିକର ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଫେଲ୍ ସହିତ ସୁଖୋଇ ଏମକେ ଆଇ, ତେଜସ୍ , ମିଗ୍ ୨୯ ବିମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏୟାରଷ୍ଟ୍ରାଇକର ଯୋଦ୍ଧାଙ୍କୁ ସମ୍ମାନୀତ କରିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଏଥର ପ୍ରତିଷ୍ଠା ଦିବସରେ ପ୍ରମୁଖ ଆକର୍ଷଣ ଥିଲା ରାଫେଲ୍ ଯୁଦ୍ଧ ବିମାନ । ପ୍ରତିରକ୍ଷା କ୍ଷେତ୍ରରେ ରାଫେଲ୍ ବର୍ତମାନ ସବୁଠାରୁ ଦୁର୍ଦ୍ଦଶ ବୋଲି ଗଣା ଯାଉଛି । କାରଣ ଆକାଶରେ ଉଡନ୍ତା ଅବସ୍ଥାରେ ଏହା ଏକା ଥରକେ ୬ଟି ସ୍ଥାନକୁ ଟାର୍ଗେଟ୍ କରିପାରିବ । ଗୋଟିଏ ମିନିଟରେ ୬୦ ହଜାରଫୁଟ ଉପରକୁ ଉଠିବା କ୍ଷମତା ରଖିଛି ରାଫେଲ୍ ।

ଘଂଟା ପ୍ରତି ପ୍ରାୟ ୩ ହଜାର କିଲୋମିଟର ବେଗରେ ଏହା ଉଡାଣ ଭରି ଶତ୍ରୁ ଛାତିରେ ଭେଦ କରିପାରିବାର କ୍ଷମତା ରଖିଛି ରାଫେଲ୍ । ରାଫେଲ୍ ସହିତ ସୁଖୋଇ ଏମକେ ଆଇ, ମିଗ୍ ୨୯, ଚିତା , ସାରଙ୍ଗ ପରି ବିମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ବାୟୁସେନା ଏହାର ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ଯୁଦ୍ଧ ଠାରୁ ଆରମ୍ଭ କରି ଦେଶରେ ପ୍ରାକୃତିକ ଦୁର୍ବିପାକ ସମୟରେ ଭାରତୀୟ ବାୟୁସେନା ଏହାର ସାହସ ଓ ଶୌର୍ୟ୍ୟ ପ୍ରଦର୍ଶନ କରିଆସୁଛି ।