ସବୁ ରେକର୍ଡ ଭାଙ୍ଗିଲା ଟିକାକରଣ, ଗୋଟିଏ ଦିନରେ ୨ କୋଟି ପାର

144

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ତା’ର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ ଆଜିପାଇଁ ଟିକାକରଣ ଚାଲୁ ରହିଛି । ଟିକାକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୋ-ୱିନ୍ ଆପ୍ ମାଧ୍ୟମରେ ଦୁଇକୋଟି ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି ।

କୋ-ୱିନ ଆପ୍ ମୁତାବକ ସକାଳ ଠାରୁ ଅପରାହ୍ନ ୫ ଟା ମଧ୍ୟରେ ଦୁଇକୋଟି ଲୋକଙ୍କୁ ଟିକା ଦିଆଯାଇଛି । ଦେଶରେ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଟିକାକରଣରେ ଏଭଳି ରେକର୍ଡ ପ୍ରଥମ ଥର ହୋଇଛି । ଏହାକୁ ନେଇ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅକ୍ଟୋବର ମାସ ସୁଦ୍ଧା ଦେଶରେ ୧ ଆରବ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

କହିରଖୁ କି ଶୁକ୍ରବାର ୧.୪୦ ସୁଦ୍ଧା ୧ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା । ଏହାର ୧୦୦ ମିନିଟ ମଧ୍ୟରେ ୧.୫୦ କୋଟିରେ ପହଂଚିଥିଲା ଟିକାକରଣ ଅଭିଯାନ । ଏହାସହ ଅପରାହ୍ନ ୩.୨୦ ସୁଦ୍ଧା ୧.୭୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସଂନ୍ଧ୍ୟା ୫ ଟା ସୁଦ୍ଧା ୨ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି । କୁହାଯାଉଛି କି ଆଜି ଗୋଟିଏ ଦିନରେ ୨.୫ କୋଟି ଲୋକଙ୍କୁ ଟିକା ଦିଆଯିବ । ଏହାର କାରଣ ଭାବେ ଦର୍ଶା ଯାଇଛିକି, ଏବେ ବି ୧ ଲକ୍ଷ କେନ୍ଦ୍ରରେ ଟିକାକରଣ ଚାଲିଛି ।

ସୂଚନା ଥାଉକି, ଗତବର୍ଷ କରୋନା ମହାମାରୀ ଆରମ୍ଭ ହୋଇଥିବା ବେଳେ ଭାରତ ସମେତ ସାରା ବିଶ୍ୱର ବୈଜ୍ଞାନିକମାନେ କରୋନା ନିରୋଧୀ ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ । ଆଗରୁ ଏକ ଟିକା ନିର୍ମାଣ କରିବାକୁ ୧୦ ବର୍ଷ ସମୟ ଲାଗୁଥିବା ବେଳେ ବିକଶିତ ଟେକ୍ନୋଲୋଜି ଓ ବୈଜ୍ଞାନିକମାନଙ୍କର ନିଷ୍ଠା ଫଳରେ କରୋନା ନିରୋଧୀ ଟିକା ମାତ୍ର ୧ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇପାରିଥିଲା ।