୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା ଶ୍ରୀମନ୍ଦିର ନୀତିକାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ପାକତ୍ୟାଗ ଓ ଦେବନୀତି ହେବ ନିଷେଧ।

282

କନକ ବ୍ୟୁରୋ: ଆସନ୍ତା ୮ତାରିଖରେ ପଡୁଛି ଚନ୍ଦ୍ରଗ୍ରହଣ । ଏହାକୁ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁଣି ଏହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ନୀତିକାନ୍ତି ସରିବ । ନୀତି ନିର୍ଘଂଟ ଅନୁସାରେ, ୮ ତାରିଖ ରାତି ୧୨ଟା ୧୦ମିନିଟରେ ଦ୍ୱାରଫିଟା ନୀତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ପୂର୍ବ ରାତି ପହୁଡରୁ ପରଦିନ ନୀତି ସରିବା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ହେବ ।

ପୂର୍ବରୁ ଚନ୍ଦ୍ରଗ୍ରହଣଦିନ ଶ୍ରୀମନ୍ଦିର ନୀତିକାନ୍ତି ନେଇ ବିବାଦ ଦେଖାଦେଇଥିଲା । ଜ୍ୟୋତିର୍ବିଦମାନେ ସୂର୍ଯ୍ୟୋଦୟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଥିଲା । ଏହାକୁ ନେଇ ବିବାଦ ଦେଖାଯିବା ପରେ ନିଷ୍ପତିରେ ପରବର୍ତିନ କରିଛି । ଆଜି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।