କମଳା ହାରିସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବା ଉପରେ ନେଲେ ନିଷ୍ପତ୍ତି

109

କନକ ବ୍ୟୁରୋ : ହ୍ୱାଇଟହାଉସରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଭବ ଉପରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱି-ପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସାକ୍ଷାତବେଳେ ପ୍ରଧାନମନ୍ତ୍ରୀ କହିଥିଲେ, କମଳା ହାରିଶ ବିଶ୍ୱସମୁଦାୟ ପାଇଁ ପ୍ରେରଣାର ଉତ୍ସ । ଏହି ଅବସରରେ ସେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । କମଳା ହାରିଶ କହିଥିଲେ, ଭାରତ ହେଉଛି ଆମେରିକାର ବଡ ଅଂଶୀଦାର । ସେହିଭଳି କୋଭିଡ ଟିକା ରପ୍ତାନୀ ପାଇଁ ଭାରତର ନିଷ୍ପତ୍ତିକୁ କମଳା ହାରିସ ସ୍ୱାଗତ କରିଥିଲେ । ଆତଙ୍କବାଦ ସମେତ ଉଭୟ ନେତା ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବି ଆଲୋଚନା କରିଛନ୍ତି । ଭାରତର କୋଭିଡ ପରିଚାଳନାକୁ କମଳା ହାରିସ ପ୍ରଂଶସା କରିଥିଲେ ।

ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍‌-୧୯ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବା ବେଳେ ଉଭୟ ନେତା ଏହି ମହାମାରୀକୁ ଦମନ କରିବା ଲାଗି ଦ୍ରୁତ ଟିକାକରଣ ଉଦ୍ୟମ, ଗୁରୁତ୍ବପୂର୍ଣ୍ଣ ଔଷଧ, ଚିକିତ୍ସା ଏବଂ ଡାକ୍ତରୀ ଉପକରଣ ଯୋଗାଣ ଆଦି ବିଷୟରେ କଥା ହୋଇଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଷୟ ଶକ୍ତି ବ୍ୟବହାର ବୃଦ୍ଧି ପାଇଁ ଭାରତର ଉଦ୍ୟମ ଏବଂ ନିକଟ ଅତୀତରେ ଆରମ୍ଭ ହୋଇଥିବା ‘ନ୍ୟାସ୍‌ନାଲ୍‌ ହାଇଡ୍ରୋଜେନ୍‌ ମିସନ୍‌’ କଥା କହିଛନ୍ତି । ପର୍ଯ୍ୟାବରଣ ସମ୍ବଳର ଉନ୍ନତି ପାଇଁ ଜୀବନଯାପନ ଧାରା ପରିବର୍ତ୍ତନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଏହା ବ୍ୟତିରେକେ, ଦୁଇ ନେତା ମହାକାଶୀୟ ସହଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା, ବିଶେଷକରି ସମସ୍ୟା ସୃଷ୍ଟିକାରୀ ଏବଂ ଜଟିଳ ପ୍ରଯୁକ୍ତିବିଦ୍ୟା ତଥା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭବିଷ୍ୟତର ସହଯୋଗିତା କଥା ମଧ୍ୟ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଏହି ପ୍ରଥମ ଆଲୋଚନାରେ ଉପରାଷ୍ଟ୍ରପତି କମଳା ହାରିସ୍‌ ଆପଣାଛାଏଁ ଆତଙ୍କବାଦରେ ପାକିସ୍ତାନର ଭୂମିକା କଥା ଉଠାଇବା ସହ ଆତଙ୍କବାଦୀ ସଙ୍ଗଠନକୁ ସମର୍ଥ ନ କରିବାକୁ କହିଛନ୍ତି ।