କାର୍ଗିଲରେ ପହଞ୍ଚି ବୀର ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ। ଯବାନଙ୍କୁ ମିଠା ଖୁଆଇ ଜଣାଇଲେ ଶୁଭେଚ୍ଛା।

59

କନକ ବ୍ୟୁରୋ: ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । କାରଗିଲରେ ପହଁଚିଲେ,ଦୀପତ୍ସୋବ ପାଳିଲେ । ସୋମବାର ସକାଳ ୯ଟା ସମୟରେ କାରଗିଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଲୋକର ପର୍ବ ଦୀପାବଳି ପୁଣିଥରେ ଭାରତୀୟ ଯବାନଙ୍କ ସହ ପାଳିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାରଗିଲଗସ୍ତ ପାଇଁ ପୂର୍ବରୁ କୌଣସି ଔପଚାରିକ ସୂଚନା କିମ୍ବା ଘୋଷଣା ନଥିଲା । ତେଣୁ ଯେତେବେଳେ ଭାରତୀୟ ଜବାନ ତାଙ୍କୁ ନିଜ ପାଖରେ ପାଇଥିଲେ ସେମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ବେଶ ଦେଖିବାକୁ ମିଳିଥିଲା । ଯବାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସୀମାକୁ ଆସି ଦିୱାଲି ପାଳିବାକୁ ମୌକା ମିଳିିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି । ଏଥିସହ ଭାରତୀୟ ସେନାକୁ ନିଜର ପରିବାର ଭାବେ ମଧ୍ୟ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଆଗାମୀ ଦିନରେ ଭାରତୀୟ ସେନାର ଅଧିକାଂଶ ଅସ୍ତ୍ରଶସ୍ତ୍ର ମେଡ ଇନ ଇଣ୍ଡିଆରେ ନିର୍ମାଣ ହେବ । ବିଦେଶ ଉପରେ କମ ନିର୍ଭରଶୀଳ ହେବ ଭାରତ । କିଛି ଦିନ ମଧ୍ୟରେ ସେନାର ଏକ ବଡ ଧରଣର ସୁଧାର କରାଯାଇଛି । ଯାହା ସଶକ୍ତ ସେନାର ପ୍ରମାଣ ଦେଉଥିବା ମୋଦୀ କହିଛନ୍ତି । ଏଥିସହ ସେ କହିଛନ୍ତି ସୀମାରେ ଚଟାଣ ପରି ଛିଡା ହୋଇଥିବା ଯବାନ ଦେଶର କବଚ । ସମ୍ବୋଧନ ପରେ ଯବାନମାନଙ୍କୁ ଭେଟି, ସେମାନଙ୍କୁ ନିଜ ହାତରେ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କେବଳ ସେତିକି ନୁହେଁ ଏକାଠି ମିଶି ବନ୍ଦେ ମାତରମ ସଂଗୀନ ଗାନ କରିଥିଲେ ।

ଯବାନଙ୍କୁ ସମ୍ବୋଧିତ କରିବା ସମୟରେ କାରଗିଲ ଯୁଦ୍ଧ କଥା ମନେପକାଇ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଦିୱାଲୀର ଅର୍ଥ ହେଉଛି ଆତଙ୍କର ଅନ୍ତ । ଯାହାକୁ କାରଗିଲରେ ପ୍ରମାଣ କରି ଦେଖାଇସାରିଛି ଭାରତୀୟ ସେନା । ଏଥିସହ ଶତ୍ରୁଙ୍କୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଭାରତ ଉପରେ ଆଖି ଉଠାଇଦେଖିଲେ ତାର କଡ଼ା ଜବାବ କେମିତି ଦିଆଯିବ ସେକଥା ଦେଶକୁ ବେଶ ଭଲଭାବେ ଜଣା । ଭାରତ ସବୁବେଳେ ବିଶ୍ୱ ଶାନ୍ତି ସପକ୍ଷରେ, ଯୁଦ୍ଧକୁ ସବୁବେଳେ ଶେଷ ବିକଳ୍ପ ଭାବେ ଦେଖେ । ପୂର୍ବରୁ ୨୦୧୪ ମସିହାରେ ସିଆଚିନ, ୨୦୧୫ରେ ଖାସା ବର୍ଡର, ୨୦୧୬ରେ ଚୀନ ସୀମା ହିମାଚଳ, ୨୦୧୭ରେଗୁରେଜ, ୨୦୧୮ରେ ହର୍ଷିଲ, ୨୦୧୯ରେ ରଜୌରୀ, ୨୦୨୦ରେ ଜେସଲମେର, ୨୦୨୧ରେ ନୌସେରାରେ ପହଁଞ୍ଚି ଯବାନମାନଙ୍କ ସହ ଦିୱାଲୀ ପାଳିଥିଲେ ।