ସବୁ ରେକର୍ଡ ଭାଙ୍ଗିଲା ଟିକାକରଣ, ୬ ଘଂଟାରେ ଏତେ ଲୋକଙ୍କୁ ଦିଆଗଲା ଟିକା

106

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ବିଜେପି କାର୍ଯ୍ୟକର୍ତ୍ତା ସାରା ଦେଶରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମୁତାବକ ଆଜି ଟିକାକରଣ ପୂର୍ବ ଦିନର ସମସ୍ତ ରେକର୍ଡ ଭାଙ୍ଗିଛି । ସାରା ଦେଶରେ ମଧ୍ୟାହ୍ନ ୧.୩୫ ସୁଦ୍ଧା ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।

ଭାରତୀୟ ଜନତା ପାର୍ଟିର ଏହି ବିଶେଷ ଅଭିଯାନରେ ଆଜି ଗୋଟିଏ ଦିନରେ ୨ କୋଟି ଲୋକଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । କହିରଖୁ କି ସାରା ବିଶ୍ୱରେ ଭାରତରେ ସବୁଠାରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ ନେଇଛନ୍ତି । କୁହାଯାଉଛି କି ଦେଶରେ ୬୨ ପ୍ରତିଶତରୁ ଅଧିକ ବୟସ୍କ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇ ସାରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଭାରତରେ ଏପର୍ଯ୍ୟନ୍ତ (ସେପ୍ଟେମ୍ବର ୧୭, ସକାଳ ୭ ଟା) ୭୭,୨୪,୨୫,୭୪୪ ଜଣ ଲୋକଙ୍କୁ ଟିକା ଦିଆଯାଇଛି । ଏହା ମଧ୍ୟରେ ୫୫,୨୬,୬, ୯୦୫ ଜଣ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୧୮,୯୮,୧୮,୮୩୯ ଜଣ ଟିକାର ଉଭୟ ଡୋଜ ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ଗୁରୁବାର ସୁଦ୍ଧା ଭାରତରେ ୨୦ ପ୍ରତିଶତ ଲୋକ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି । ଏହାସହ ୬୨ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ ନେଇ ସାରିଛନ୍ତି । ସେହିଭଳି ୯୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୮୨ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି । ସେପଟେ ୧୦୦ ପ୍ରତିଶତ କୋଭିଡ ଯୋଦ୍ଧା ଟିକାର ପ୍ରଥମ ଖୋରାକ ନେଇସାରିଥିବା ବେଳେ ୭୮ ପ୍ରତିଶତ କୋଭିଡ ଯୋଦ୍ଧା ଟିକାର ଉଭୟ ଡୋଜ ନେଇ ସାରିଛନ୍ତି ।