ଦିଲ୍ଲୀରେ ଆଜିି ‘ଧନ୍ୟବାଦ ମୋଦି ରାଲି’ । ରାମଲୀଳା ମୈଦାନରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବ ଦଳ

ସୁରକ୍ଷା ସୁନିଶ୍ଚିତ କରିବା ଦିଲ୍ଲୀ ପୋଲିସ ପାଇଁ ଚ୍ୟାଲେଞ୍ଜ

125

କନକ ବ୍ୟୁରୋ: ଦିଲ୍ଲୀରେ ମୋଦିଙ୍କ ପାଇଁ ମହାରାଲି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ବପିଜେପି କରୁଛି ‘ଧନ୍ୟବାଦ ମୋଦି ରାଲି’ । ଦିନ ୧୧ଟା ବେଳେ ଦିଲ୍ଲୀ ରାମଳୀଳା ମୈଦାନରେ ହେବ ଏହି ମହାରାଲି । କୁହାଯାଉଛି ଆଗାମୀ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ରାଲିରେ ବିଗୁଲ ଫୁଙ୍କିବ ବିଜେପି । ଦିଲ୍ଲୀରେ ଅବୈଧ ଭାବେ ଗଢି ଉଠିଥିବା ୧୭ଶହ ୩୪ କଲୋନିକୁ ନିୟମିତ କରାଯାଇଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରିଛି ବିଜେପି । ରାଲିରେ ୨ ଲକ୍ଷ ଲୋକଙ୍କୁ ଏକାଠି କରାଯିବ ବୋଲି ଦଳ ଦାବି କରୁଛି । କେନ୍ଦ୍ର ସରକାର ନୂଆ ନାଗରିକତା ଆଇନ ଆଣିବା ପରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ଏହାକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ ହେଉଛି । ତେଣୁ ସେହି ଦିଲ୍ଲୀରେ ଧନ୍ୟବାଦ ରାଲି ଜରିଆରେ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିବ ବିଜେପି । ବିରୋଧୀ ରାଜନୈତିକ ଦଳଗୁଡିକର ପ୍ରତିବାଦ ପ୍ରଦର୍ଶନ ଭିତରେ ୨ଲକ୍ଷ ଲୋକଙ୍କୁ ଏକାଠି କରି ସରକାରଙ୍କ ପ୍ରତି ସମର୍ଥନର ଶକ୍ତି ପ୍ରଦର୍ଶନ କରିବ ବିଜେପି ।

ଗତ ରବିବାର ଜାମିଆ ନଗରରେ ଶାନ୍ତି ଶୃଙ୍ଖଳା ବଜାର ରଖିବାରେ ଫେଲ ମାରିଥିଲା ଦିଲ୍ଲୀ ପୋଲିସ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ ପ୍ରଦର୍ଶନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ପ୍ରତିବାଦକାରୀ । ଦକ୍ଷିଣ ଦିଲ୍ଲୀରେ ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ଏକ ପ୍ରକାର ଫେଲ ମାରିଲା ବୋଲି କୁହାଯାଇପାରିବ । ଏବେ ପୁଣି ଏକ ଭିଡକୁ ନିୟନ୍ତ୍ରଣ କରିବା ଦିଲ୍ଲୀ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାପାଇଁ କେନ୍ଦ୍ରୀୟ ଦିଲ୍ଲୀରେ ପ୍ରାୟ ୨ଲକ୍ଷ ଲୋକ ଏକାଠି ହୋଇପାରନ୍ତି । ସେପଟେ ଏହି ରାଲିବେଳେ ଆତଙ୍କବାଦୀ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି । ସେଥିପାଇଁ ବ୍ଲୁ-ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଏସପିଜି ଓ ଦିଲ୍ଲୀ ପୋଲିସ ଉପରେ ନ୍ୟସ୍ତ ହୋଇଛି ।

ସେପଟେ, ନାଗରିକତା ଆଇନକୁ ନେଇ ପ୍ରତିବାଦ ଭିତରେ ପ୍ରଥମେ ଆସିଥିଲା ସୋନିଆ ଗାନ୍ଧିଙ୍କ ବାର୍ତା । ସରକାର କାହିଁକି ନିଗର ବୋଲି ପ୍ରଶ୍ନ କରିବା ସହ ବିଜେପି ଦେଶକୁ ବିଭାଜନ କରିବାକୁ ଚାହୁଁଥିବା ଅଭିଯୋଗ ବାଢିଥିଲେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି । ଏହାପରେ ପ୍ରତିବାଦକୁ ବ୍ୟାପକ କରିବା ପାଇଁ ଆଜି ଦିଲ୍ଲୀରେ ସୋନିଆ ଓ ରାହୁଲ ଗାନ୍ଧି ରାଲି କରିବା ଯୋଜନା ଥିଲା । ହେଲେ ଶେଷ ମୁହୂର୍ତରେ ଏହାକୁ ସୋମବାରକୁ ସ୍ଥଗିତ ରଖାଯାଇଛି । ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ପ୍ରଚାର କରୁଥିବା ବିଭ୍ରାନ୍ତି ବାବଦରେ ଲୋକଙ୍କୁ ବୁଝାଇବ ବିଜେପି ।