ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା

79

କନକ ବ୍ୟୁରୋ: ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳଗୁଡିକ । ଯେଉଁ ଭାରତ ଯୋଡ ଯାତ୍ରା ବଳରେ କର୍ଣ୍ଣାଟକ ଓ ହିମାଚଳରେ ସରକାର ଗଡିଥିଲା ଏବେ ତାର ୨ୟ ସଂସ୍କରଣ ଭାବେ ଭାରତଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦଳ ନୂଆ ରଣନୀତି ଆପଣାଇଛି । ୨୫୫ ଲୋକସଭା ଆସନ ଯେଉଁ ଅଂଚଳରେ ରହିଛି ସେହି ରୁଟ ଦେଇ ପଦଯାତ୍ରା କରିବ ଦଳ । ତୃଣମୃଳ ସ୍ତରରେ ଜନତାଙ୍କ ସହ ଯୋଡି ହେବାକୁ ଲକ୍ଷ୍ୟ ରଖିଛି ଦଳ । ଯାତ୍ରାର ପ୍ରଥମ ଦିନରୁ ହିଁ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ।

ଗୋଟେ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ଜନତାଙ୍କ ସହ ସିଧାସଳଖ ଯୋଡି ହେବାକୁ ଓ ଦେଶବାସୀଙ୍କୁ ଏକାଠି ବାନ୍ଧି ରଖିବାକୁ କଂଗ୍ରେସ ନିଜର ମୂଳ ଲକ୍ଷ୍ୟ କହୁଛି ସେପଟେ କିନ୍ତୁ ଘର ଦଳର ଭିତର କନ୍ଦଳ ପଦାରେ ପଡୁଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା କଂଗ୍ରେସ ପାଇଁ ଆଗକୁ ବଡ ଚ୍ୟାଲେଂଜ ଆଣିପାରେ । ଯଦି ନଜର ପକାଇବା ୨୦୧୯ ମସିହାରୁ ଏବେ ସୁଦ୍ଧା ୧୧ଜଣ ବରିଷ୍ଠ ନେତା କଂଗ୍ରେସ ଛାଡିସାରିଲେଣି ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସାଂଗଠନିକ ସ୍ତରର ଜଟିଳତା ସ୍ପଷ୍ଟ ବାରି ହୋଇପଡୁଛି । ଯେଉଁ ନେତା ମାନେ କଂଗ୍ରେସ ଛାଡିଛନ୍ତି ଦିନେ ସେମାନେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ମଧ୍ୟ ଥିଲେ । ସବୁଠୁ ବଡ କଥା ହେଉଛି ଦଳ ଛାଡିଥିବା ଅଧିକାଂଶ ନେତା କଂଗ୍ରେସର ପରମ ପ୍ରତିଦ୍ୱନ୍ଦୀ ବିଜେପିରେ ଯୋଗ ଦେଇଛନ୍ତି । ଏହି ତାଲିକା ଲମ୍ବିବା ଯୋଗୁ କଂଗ୍ରେସରେ ଅସନ୍ତୋଷ, ଅଣଦେଖାକୁ ନେଇ ଯେଉଁ ଚର୍ଚ୍ଚା ହୁଏ ସେକଥାକୁ ବଳ ମିଳୁଛି । ସେପଟେ କଂଗ୍ରେସ କିନ୍ତୁ ନିଜ ଢ଼ଙ୍ଗରେ ପ୍ରତିଥର ଜବାବ ରଖୁଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କ ଭିତରୁ କାହାକୁ ବିଶ୍ୱାସଘାତକ ତ ଆଉ କାହାକୁ ସ୍ୱାର୍ଥପରର ଆଖ୍ୟା ଦେଉଛି କଂଗ୍ରେସ । ଏପରିକି ସେମାନଙ୍କଠୁ ଲକ୍ଷେଗୁଣ ଭଲ ଭାବମୂର୍ତି ଓ ଦକ୍ଷ ନେତା କଂଗ୍ରେସରେ ଯୋଗ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ଦଳ ।

ରାଜନୀତିର ଅଭିଜ୍ଞତା, ଅନୁଭୂତି ଓ କରାମତି ପାଇଁ ଯେଉଁମାନେ ଦଳର ପାଇଁ ବଳ ଥିଲେ ସେମାନେ ହାତ ଛାଡିବା ନିଶ୍ଚିତଭାବେ କଂଗ୍ରେସକକୁ ପ୍ରଭାବିତ କରିବ । ଆଗାମୀ ନିର୍ବାଚନରେ ସେହି ନେତାଙ୍କ ପତିଆରାର ଅଭାବ ଦଳକୁ ଅନୁଭବ ହେବା ଏକପ୍ରକାର ନିଶ୍ଚିତ । କଂଗ୍ରେସ ଏବେ ନିଜ ଅସ୍ତିତ୍ୱ ବଂଚାଇବାକୁ ସଂଘର୍ଷ କରୁଥିବାବେଳେ ବାହୁବଳୀ ନେତା ହାତ ଛାଡିବା ଦଳ ପାଇଁ ବୁମେଂରା ସାବ୍ୟସ୍ତ ହୋଇପାରେ ।