କନକ ବ୍ୟୁରୋ : ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। କେନ୍ଦ୍ର ନିର୍ବାଚନ ଆୟୋଗ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହିତ ଖାଲି ପଡ଼ିଥିବା ବିଧାନସଭା ଆସନ ପାଇଁ ଉପନିର୍ବାଚନ କରିପାରନ୍ତି। ନିକଟରେ ଭାରତୀୟ ନିର୍ବାଚନ ଆୟୋଗ ତିନି ରାଜ୍ୟର ସରକାରଙ୍କୁ ପ୍ରଶାସନରେ ଯେଉଁ ଅଫିସର ଓ କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷ ପର୍ଯ୍ୟନ୍ତ ଅଛନ୍ତି ସେମାନଙ୍କୁ ଅକ୍ଟୋବର ୩୧ ପୂର୍ବରୁ ଅନ୍ୟତ୍ର ବଦଳି କରିବାକୁ ନିର୍ଦ୍ଦେଶ ଦେଇଛି।
ଆୟୋଗଙ୍କ ଏହି ନିର୍ଦ୍ଦେଶରୁ ଅନୁମାନ କରାଯାଉଛି ଯେ ନିର୍ବାଚନ ଅକ୍ଟୋବର ମାସରେ ହୋଇପାରେ। ହରିୟାଣା ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨, ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୯ ଓ ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ ଡିସେମ୍ବର ୨୭ରେ ଶେଷ ହେବ। ନିର୍ବାଚନ କମିସନ ଏହି ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଏକା ସହିତ କରିବେ ବୋଲି ଅନୁମାନ କରାଯାଉଛି। ଅକ୍ଟୋବର ମାସ ତୃତୀୟ ସପ୍ତାହରେ ନଚେତ୍ ଦୀପାବଳି ପୂର୍ବରୁ ତିନି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଓଡ଼ିଶା ଓ ଉତ୍ତରପ୍ରଦେଶେର ଉପନିର୍ବାଚନ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରୁ ନିର୍ବାଚିତ ହୋଇଥିଲେ। ଜୁନ୍ ୨ରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ ଓ ହିଞ୍ଜିଳି ଆସନ ରଖିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/bijepur.jpg)