ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ।

1,082

କନକ ବ୍ୟୁରୋ: ନଭେମ୍ବର ୧୨ରେ ବନ୍ଦ ହେବ ଓଡିଶା । ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ଅପରାଧରେ ସଂଶ୍ଲିଷ୍ଟ ଥିବା ମନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ବରଖାସ୍ତ କରାଯାଇନାହିଁ । ରାଜ୍ୟରେ ଗୋଟିଏ ପଟେ ନାରୀ ନିର୍ଯ୍ୟାତନା ବଢିଚାଲିଥିବାବେଳେ, ସମଗ୍ର ରାଜ୍ୟ ଏବେ ଅପରାଧୀମାନଙ୍କର ଚରାଭୂଇଁ ପାଲଟିଛି । ତେଣୁ ଆଗାମୀ ୧୦ ଦିନ ଭିତରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କୁ ବିଦା ନକରନ୍ତି ତେବେ ଏହା ପ୍ରତିବାଦରେ ଓଡିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ।  ତେବେ ପିସିସି ଉପସଭାପତି ଗଣେଶ୍ୱର ବେହେରା, ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଦାୟର କରିବାକୁ ଦାବି କରିଛନ୍ତି । ତା ସହିତ ନାରୀର ସମ୍ମାନ ଓ ସୁରକ୍ଷା ପାଇଁ ଓଡିଶାବାସୀ କଂଗ୍ରେସର ଏହି ବନ୍ଦ ପାଳନକୁ ପୂର୍ଣ୍ଣ ସହଯୋଗ ଦେବାକୁ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।