ଚନ୍ଦ୍ର ଗ୍ରହଣ ପାଇଁ ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ । ଭୋର ୪ଟାରେ ଦ୍ୱାରଫିଟା, ଅପରାହ୍ଣ ୪ଟାରେ ପଡିବ ପହୁଡ
କନକ ବ୍ୟୁରୋ : ଆସନ୍ତାକାଲି ଶନିବାର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଆରଡି ପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଭୋର ୪ଟାରେ ଦ୍ୱାର ଫିଟାନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ । ବାବାଙ୍କୁ ସଜେଇବା ପରେ ପହିଲି ଭୋଗ ଲାଗି କରାଯିବ । ସମସ୍ତ ନୀତିକାନ୍ତି ମଧ୍ୟାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ସଂପନ୍ନ ହେବା ପରେ ୨ଟାରେ ବଡସିଂହାର ବେଶ କରାଯିବ । ୩ଟାରେ ସଂଧ୍ୟା ପୂଜା ଓ ଅପରାହ୍ଣ ୪ଟାରେ ବାଟୁଳା ନୀତି ସଂପନ୍ନ କରାଯାଇ ପହଡ ପଡିବ ବୋଲି ପାଳିଆ ସେବାୟତ ସୂଚନା ଦେଇଛନ୍ତି । ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ଣ ୪ଟାରୁ ପାକ ତ୍ୟାଗ କରାଯିବ । ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କ ଦର୍ଶନ ବନ୍ଦ ରହିବା ସହ ସମସ୍ତ ଦ୍ୱାର ବନ୍ଦ ରଖାଯିବ । ତେବେ ପାକ ତ୍ୟାଗ ପୂର୍ବରୁ ମନ୍ଦିରର ସବୁ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ହୋଇଛି ।