ଜୁନ ୧୦ରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ ,ଶପଥ ଗ୍ରହଣ ଉତ୍ସବ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କିଏ ହେବେ ମୁଖ୍ୟମନ୍ତ୍ରୀ,ଜାରି ରହିଛି ସସପେନ୍ସ

286

କନକବ୍ୟୁରୋ: ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାରୁ ଶପଥ ଗ୍ରହଣ ସମାରୋହକୁ ସ୍ମରଣୀୟ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ମଂଚ ବାନ୍ଧିବା, ଟେଂଟ ଲଗାଇବା କାମ ଜୋରଦାରରେ ଚାଲିଛି । ବିଜେପିର ବରିଷ୍ଠ ନେତା, ପୋଲିସ ଡିଜି ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ଶପଥ ସମାରୋହରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବାର ଯୋଜନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୋଟିଏ ପଟେ ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି । ଏକାଧିକ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି ଶୀର୍ଷ ନେତୃତ୍ୱ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ସସପେନ୍ସ ଲାଗି ରହିଥିଲା ବେଳେ ୧୦ ତାରିଖ ସକାଳୁ ବିଧାୟକ ଦଳ ବୈଠକ ବସିବ ।

ସେହି ବୈଠକରେ ବିଧାୟକମାନେ ସେମାନଙ୍କର ନେତା ବାଛିବେ । ଆଉ ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ହେବ । ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ମୁଖ୍ୟମନ୍ତ୍ରୀ ରେସ୍ରେ ଅନେକ ନେତା ଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିବା କୁହାଯାଉଛି । ସେହପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଭଳି ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ସବୁବେଳେ ସରପ୍ରାଇଜ ଦେଇ ଆସୁଥିବା କେନ୍ଦ୍ର ବିଜେପି କାହାକୁ ଭରଷା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।