କନକ ବ୍ୟୁରୋ: ମୋଦି ସରକାର ବିରୋଧରେ କଂଗ୍ରେସର ଯୁଦ୍ଧଂଦେହି ଡାକରା । କଂଗ୍ରେସ ଦଳର ୧୩୪ତମ ପ୍ରତିଷ୍ଠା ଦିବସରେ ନାଗରିକତା ଆଇନ ଓ ଏନଆରସିକୁ ବିରୋଧ କରି ଆଜି ଦେଶବ୍ୟାପି ସମ୍ବିଧାନ ବଂଚାଅ, ଭାରତ ବଂଚାଅ ରାଲି କରିବ ଦଳ । ଦିଲ୍ଲୀରୁ ଆରମ୍ଭ କରି ସବୁ ରାଜ୍ୟରେ ଏହି ରାଲିକୁ ସଫଳ କରିବା ପାଇଁ ଏଆଇସିସି ପକ୍ଷରୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି । ଏପଟେ ଭୁବନେଶ୍ୱରରେ ଆଜି ଦଳୀୟ ପତକା ଉତୋଳନ କରିବା ସହ କଂଗ୍ରେସ ଭବନରୁ ଏକ ରାଲି ବାହାରି ରାଜଭବନ ଅଭିମୁଖେ ବାହାରି । ଏଥିରେ ଏକ ୩୩ ଜଣିଆ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment
publive-image
ସେପଟେ, ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ମିଛୁଆ’ ପ୍ରମାଣିତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ତାଙ୍କ ଟୁଇଟର ହାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କଲାପରେ ଏହାକୁ ନେଇ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି। ବିବିସି ହିନ୍ଦୀ ନ୍ୟୁଜ୍ ଚ୍ୟାନେଲରେ ପ୍ରଦର୍ଶିତ କରାଯାଇଥିବା; ଆସାମରେ ନିର୍ମାଣଧୀନ ଅବସ୍ଥାରେ ଥାଇ ଜୋରସୋରରେ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଥିବା ଏକ ଅଟକ କେନ୍ଦ୍ର ବା ‘ଡିଟେନସନ ସେଣ୍ଟର’ର ଭିଡିଓକୁ ରାହୁଲ ପୋଷ୍ଟ କରିଛନ୍ତି। ଏଥିସହ ସେହି ପୋଷ୍ଟରେ ରାହୁଲ ଲେଖିଛନ୍ତି; ‘ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହିଛନ୍ତି’।

ଉଲ୍ଲେଖଯୋଗ୍ୟ, ବିଜେପି ପକ୍ଷରୁ ଆୟୋଜିତ ଦିଲ୍ଲୀର ଏକ ନିର୍ବାଚନ ରାଲିରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର କୌଣସି ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଅଟକ କେନ୍ଦ୍ର ବା ‘ଡିଟେନସନ ସେଣ୍ଟର’ର ନିର୍ମାଣ କରାଯାଉ ନାହିଁ। କେବଳ ମାତ୍ର ନାଗରିକତା (ସଂଶୋଧନ) ଆଇନକୁ ବିରୋଧ ଆଳରେ ଚାଲିଥିବା ହିଂସାକୁ ଉସକାଇବା ଉଦ୍ଦେଶ୍ୟରେ କଂଗ୍ରେସ ଓ ‘ସହରୀ ନକ୍ସଲ’ଙ୍କ ପକ୍ଷରୁ ଏପ୍ରକାରର ମିଥ୍ୟା ଅପପ୍ରଚାର ଚାଲିଛି।