କନକ ବ୍ୟୁରୋ : ପାଖରେ ପୁଅ ନାହିଁ। ଛୁଟିରେ ଘରକୁ ଆସୁନି। କିନ୍ତୁ ତା ଉପସ୍ଥିତି ସବୁବେଳେ ସବୁଆଡ଼େ ଅଛି। ସେ ସାଉଁଟିଥିବା ସ୍ମୃତି, ଘର ବାହାରେ ସବୁଆଡ଼େ ଯେମିତି ବିଛାଡ଼ି ହୋଇ ରହିଛି। ଆଉ ସ୍ୱାଧୀନତା ଦିବସ ଭଳି ଜାତୀୟ ଦିବସରେ ସହିଦ ପୁଅକୁ ମନେ ପକାଉଛି ପରିବାର। ଜନ୍ମମାଟି ପାଇଁ ବଳିଦାନ ଦେଇଥିବା ପୁଅର ଅଭାବକୁ ଅନୁଭବ କରୁଛନ୍ତି ଜନ୍ମଦାତ୍ରୀ । ହେଲେ ପୁଅର ସମର୍ପଣ ପାଇଁ ଗର୍ବ କରିବେ ନା ବର୍ତ୍ତମାନର ସମୟ ପାଇଁ ଦୁଃଖ କରିବେ କିଛି ବୁଝି ପାରୁନାହାନ୍ତି ସହିଦ ମନୋଜ ବେହେରାଙ୍କ ମାଆ।
ସହିଦ ପରିବାର ସତ ଆଉ ସଂର୍ଘଷର କାହାଣୀ କହିବାକୁ ହେଲେ ସେତିକି ଧୈର୍ଯ୍ୟ ଦରକାର । ନିଆଳି ରତନପୁର ଗାଁର ବୀର ଯବାନ ମନୋଜ ବେହେରା। ମା’ ଝୁରୁଛି, ଗାଁ ଝୁରୁଛି। ଏ ମା’ର ପଣତ ଖାଲି କରି ସେ ମାଆ ପାଇଁ ଶତ୍ରୁର ଶିକାର ହୋଇଛି ବୀର ପୁତ୍ର। ଆରପାରିକୁ ଚାଲିଯାଇଛନ୍ତି, ଅମର ହୋଇଯାଇଛନ୍ତି। ଯେଉଁଠିକୁ ମଣିଷ ଥରେ ଗଲେ ଆଉ କବେ ଫେରେନି। ପୁଅର ବଳିଦାନ ପାଇଁ ଅନେକ ସମବେଦନା ଓ ଶ୍ରଦ୍ଧାଞ୍ଜଳି ମିଳିଛି। ହେଲେ ପୁଅ ଅନ୍ତେ ବାପାମାଆ କେମିତି ଅଛନ୍ତି କେହି କେବେ ବୁଝିନାହାନ୍ତି। ଆଜି ବି ଝାଡୁ ପ୍ରସ୍ତୁତ କରି ପେଟ ପୋଶୁଛନ୍ତି ସହିଦ ଯବାନଙ୍କ ବାପାମାଆ।
୨୦୧୯ ଫେବୃଆରୀ ୧୪ର ଘଟଣାକୁ ଆଜି ବି ଭୁଲିପାରୁନି ଦେଶ। ସେଦିନ କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ବିଛାଇଥିଲେ ମୃତ୍ୟୁର ଜାଲ। ଯେଉଁଥିଲେ ଫଶି ଯାଇଥିଲେ ଜିତେନ୍ଦ୍ର ଓ ସାବିତ୍ରୀଙ୍କ ଏକମାତ୍ର ପୁଅ। ମନୋଜଙ୍କ ସମେତ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ୬ ବର୍ଷ ପରେ ବି ସହୀଦ ସ୍ମୁତିରେ ବୁଡି ରହିଛି ରତନପୁର ଗାଁ।