ଏମିତି ଡିଏସପିଙ୍କୁ ସାଲ୍ୟୁଟ: କୋଳରେ ଅଛି ଛୁଆ, କର୍ତ୍ତବ୍ୟରେ କରୁ ନାହାନ୍ତି ଅବହେଳା

152

କନକ ବ୍ୟୁରୋ : କୋଳରେ କଅଁଳା ଝିଅ । ହାତରେ ଓୟାରଲେସ୍ । ଆଖିରେ ସୁରକ୍ଷାର କଡା ପ୍ରହରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ନିଜ କୁନି ଝିଅକୁ ଧରି କର୍ତ୍ତବ୍ୟ କରୁଥିବା ଜଣେ ମହିଳା ଡିଏସପିଙ୍କ ଫଟୋ ଏବେ ଭାଇରାଲ ହେବାର ଲାଗିଛି । ମା’ ପରି ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ କରିବା ସହିତ ରାଜକର୍ମକୁ ଜୀବନର ମନ୍ତ୍ର ମାନୁଥିବା ଏହି ମହିଳା ଅଧିକାରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ । ଆଉ ତାଙ୍କୁ କର୍ତ୍ତବ୍ୟର ଏକ ଜୀବନ୍ତ ଛବି ବୋଲି କହିଛନ୍ତି ।

ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ମହିଳା ଅଧିକାରୀ ଜଣକ ହେଉଛନ୍ତି ଡିଏସପି ମୋନିକା ସିଂହ । ଭାଇରାଲ ହେଉଥିବା ଭିଡିଓରେ ଡିଏସପି ମୋନିକା ସିଂହ ନିଜ ଦେଢ ବର୍ଷର ଝିଅକୁ କୋଳରେ ଧରି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏକ ଗସ୍ତ ସମୟରେ ହେଲିପ୍ୟାଡର ସୁରକ୍ଷା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା । ଏହି ସମୟରେ ଘରେ ଝିଅର ଯତ୍ନ କରିବାକୁ କେହିି ନଥିବାରୁ ବାଧ୍ୟ ହୋଇ ନିଜ ସହ ଫିଲ୍ଡକୁ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଝିଅକୁ ଜଣେ ସହଯୋଗୀଙ୍କୁ ଦେଇଥିଲେ ବି ଝିଅ କାନ୍ଦିବାରୁ ତାକୁ କୋଳରେ ଧରି ଡ୍ୟୁଟି କରିବାକୁ ପଡିଥିଲା । ଏହି ସମୟରେ ଫେରିଥିଲେ ମୁଖ୍ୟମନ୍ତ୍ରୀ । ମୋନିକାଙ୍କୁ ଝିଅ ସହ ଦେଖି ହେଲିକପ୍ଟର ପାଖରୁ ଫେରି ଆସି ଝିଅଟିକୁ ସ୍ନେହ କରିବା ସହ ମୋନିକାଙ୍କ କର୍ତ୍ତବ୍ୟକୁ ଅଜସ୍ର ପ୍ରଶଂସା କରିଥିଲେ । ତାଙ୍କୁ କର୍ତ୍ତବ୍ୟର ପାରାକାଷ୍ଠା ବୋଲି କହିଥିଲେ । ସେ ପୋଲିସ ଅଧିକାରୀଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ସାରା ମଧ୍ୟପ୍ରେଦେଶ ତାଙ୍କ ପାଇଁ ଗର୍ବିତ ବୋଲି ମଧ୍ୟ କହିଛନ୍ତି । ଏହାସହ ତାଙ୍କ ଝିଅକୁ ତାଙ୍କ ପରି ସାହସୀ ହେବାକୁ ଆଶୀର୍ବାଦ କରିଥିଲେ । ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।

ସୂଚନା ମୁତାବକ, ଡିଏସପି ମୋନିକା ସିଂହ କହିଥିଲେ ଯେ, ଦୁଇ ଦିନ ପାଇଁ ତାଙ୍କର ଫିଲ୍ଡରେ ଡ୍ୟୁଟି ଲାଗିଥିଲା । ତାଙ୍କ ସ୍ୱାମୀ ଦିଲ୍ଲୀରେ କାର୍ଯ୍ୟରତ । ଝିଅକୁ ଦିନେ ସମ୍ପର୍କୀୟଙ୍କ ଘରେ ଛାଡିଥିଲେ ହେଲେ ଦୁଇ ଦିନ ଛାଡିବା ଝିଅ ପାଇଁ କଷ୍ଟକର ଥିଲା । ତେଣୁ ୧୮ ମାସର ଝିଅ ମାୟସାକୁ କୋଳରେ ଧରି ଡ୍ୟୁଟିକୁ ଆସିଥିଲେ । ତାଙ୍କର ଏପରି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ।