କନକ ବ୍ୟୁରୋ : ଡ୍ୟୁଟି ସମୟରେ ଟିକଟକ ଭିଡିଓରେ ମାତିବା ମହଙ୍ଗା ପଡ଼ିଛି। କ୍ୟାପିଟାଲ ହସ୍ପିଟାଲ ଏଆରଟି ସେଣ୍ଟରରେ ଥିବା କାଉନ୍ସେଲର ଓ ଡାଟା ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ଅନ୍ୟତ୍ର ବଦଳି କରାଯାଇଛି। ଏହାସହ ଏହି ସେଣ୍ଟରରେ ଏନଜିଓ ପକ୍ଷରୁ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ମଧ୍ୟ ସେଠାରୁ ବାହାର କରିବା ଲାଗି ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Advertisment

ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାର କହିଛନ୍ତି, କ୍ୟାପିଟାଲ ହସ୍ପିଟାଲର ଏଆରଟି ସେଣ୍ଟରରେ କାର୍ଯ୍ୟରତ କାଉନ୍ସେଲର ସରିତା ପାତ୍ର, ଡାଟା ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଜଣେ ଆଉଟରିଚ୍ କର୍ମଚାରୀ ଡ୍ୟୁଟି ସମୟରେ ଟିକଟକ ଭିଡିଓ କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ତେଣୁ କାଉନସେଲର ଓ ଡାଟା ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ଦୁହିଁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କାଉନସେଲରଙ୍କୁ ଅନୁଗୁଳ ଓ ଡାଟା ମ୍ୟାନେଜରଙ୍କୁ ନବରଙ୍ଗପୁରରେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି।

publive-imageଯଦି ଦୁହେଁ କାର୍ଯ୍ୟରେ ଯୋଗ ନ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଏଆରଟି ସେଣ୍ଟରରେ ଏଚ୍ଆଇଭି ଆକ୍ରାନ୍ତଙ୍କ ସହାୟତା ପାଇଁ ଏନ୍ଜିଓ ପକ୍ଷରୁ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ବାହାର କରିବା ପାଇଁ ଏନଜିଓକୁ ଚିଠି ଦିଆଯାଇଛି। ଯଦି ପରବର୍ତୀ ସମୟରେ ସଂପୃକ୍ତ ଏନଜିଓର କୌଣସି କର୍ମକର୍ତା ଏଭଳି କାର୍ଯ୍ୟରେ  ଲିପ୍ତ ରୁହନ୍ତି, ତେବେ ଏନଜିଓଙ୍କୁ କଳାତାଲିକାଭୁକ୍ତ କରାଯିବ ବୋଲି ଶ୍ରୀ ଗୁହା ପୁନମ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲ ଏଆରଟି ସେଣ୍ଟରର କାଉନସିଲ ଓ ସହଯୋଗୀ ଡ୍ୟୁଟି ସମୟରେ ଟିକଟକ ଭିଡିଓ କରୁଥିବା ନେଇ ଖୋର୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ଏଚ୍ଆଇଭି ରୋଗୀମାନଙ୍କୁ ସଂପୃକ୍ତ ସେଣ୍ଟରରେ ଦୁର୍ବ୍ୟବହାର କରାଯାଉଥିବା ମଧ୍ୟ ଜଣେ ଆକ୍ରାନ୍ତ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିବା ପରେ ଓସାକ୍ସ ଓ ହସ୍ପିଟାଲର ଅଧିକାରୀଙ୍କୁ ମିଶାଇ ୫ଜଣିଆ ଟିମ୍ ଏହାର ତଦନ୍ତ କରିଥିଲା। ସୋମବାର ଏ ସଂକ୍ରାନ୍ତ ରିପୋର୍ଟ ଓସାକ୍ସକୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅନ୍ୟତ୍ର ବଦଳି କରାଯାଇଥିବା କୁହାଯାଇଛି।