ଭାରତ -ଚୀନ ମଧ୍ୟରେ ସୀମାରେ ଉତେଜନା କମାଇବାକୁ ଆଜି ପୁଣି ବୈଠକ: ଦୁଇଦେଶର ପ୍ରତିରକ୍ଷା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା; ପେଙ୍ଗଙ୍ଗ ଓ ଗୋଗ୍ରାର ସ୍ଥିତି ନେଇ ଆଲୋଚନା

190

କନକ ବ୍ୟୁରୋ: ଭାରତ – ଚୀନ ଉତେଜନା କମାଇବାକୁ ବୈଠକ । ମାଲଡୋରେ ଦୁଇଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ଏଲଏସିର ପେଙ୍ଗଙ୍ଗ ଓ ଗୋଗ୍ରାର ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋନା ହେବା ନେଇ ସୂଚନା ମିଳିଛି । ଜୁନ୍ ୧୫ ଗଲୱାନ ଘାଟିର ସଂଘର୍ଷ ପର ଠାରୁ ଏହା ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ପଂଚମ ବୈଠକ । ଏହି ବୈଠକରେ ଭାରତ ଏଲଏସିର ବିବାଦୀୟ ଫିଙ୍ଗର ଅଂଚଳରୁ ଚୀନ୍ ଏହାର ପୁରା ସୈନ୍ୟ ପ୍ରତ୍ୟାହାର କରିବା ଉପରେ ଫୋକସ୍ ରଖିବା ନେଇ ସୂଚନା ମିଳିଛି ।

ପୂର୍ବ ଆଲୋଚନା ଅନୁସାରେ ଚୀନ୍ ଏବେ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରୁଛି । କିନ୍ତୁ ଏହି ସୈନ୍ୟ ପ୍ରତ୍ୟାହାର କାମ ସଂପ୍ରୂ୍ଣ୍ଣ ହୋଇନାହିଁ । ଜୁନ୍ ୧୫ ମଧ୍ୟରାତ୍ରିରେ ଗଲୱାନ ଘାଟିରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ୍ ସେନା ଅତର୍କିତ ଆକ୍ରମଣ କରିବା ପରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଚୀନ୍ ସ୍ପଷ୍ଟ କରିନଥିଲା ଏହାର କେତେ ସୈନ୍ୟ ମୃତାହତ ହୋଇଛନ୍ତି । ଏହା ପରଠାରୁ ଏଲଏସିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଅସନ୍ତୋଷ ଜାରି ରହିଛି । ଏହିସ୍ଥିତିକୁ ସୁଧାରି ସୀମାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି ।